ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ପାଇଁ କୋଭିଡ୍ ଟାସ୍କଫୋର୍ସର ପ୍ରସ୍ତାବ, ଆଜି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଥିବା ରେକର୍ଡ ସଂକ୍ରମଣ ମଧ୍ୟରେ ଜାତୀୟ କୋଭିଡ୍ ଟାସ୍କଫୋର୍ସ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଲଗାଇବାକୁ ପରାମର୍ଶ ଦେଇଛି । କୋଭିଡ୍ ଟାସ୍କଫୋର୍ସରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର) ଏବଂ ଏମ୍ସ ଭଳି ପ୍ରତିଷ୍ଠିତ ସଂସ୍ଥା ସଦସ୍ୟ ଅଛନ୍ତି । ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ଲକ୍‌ଡାଉନ୍ ଜରୁରୀ ବୋଲି କୋଭିଡ୍ ଟାସ୍କଫୋର୍ସ କହିଛି । କୋଭିଡ୍ କେନ୍ଦ୍ର ସରକାର ଆଜି ନିଷ୍ପତ୍ତି ନେବା ସମ୍ଭାବନା ରହିଛି ।

ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଲଗାଇବାକୁ ଗତ ଏକ ସପ୍ତାହ ଧରି କୋଭିଡ୍ ଟାସ୍କଫୋର୍ସ ଦାବି କରିଆସୁଛି । ଆଇସିଏମ୍‌ଆର ଯୁକ୍ତି ହେଲା ଯେ, କରୋନାର ଦ୍ୱିତୀୟ ଲହରୀର ପିକ୍ ଆସିବାର ଅଛି । ଏଭଳି ସ୍ଥିତିରେ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ହେଲେ ଦୁଇ ସପ୍ତାହର ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଜରୁରୀ ।

ସୂତ୍ରରୁ ଜଣାପଡିଛି ଯେ, ଏ ବାବଦରେ କେନ୍ଦ୍ର ଶୀଘ୍ର ନିଷ୍ପତ୍ତି ନେବେ । ତେବେ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ପରିବର୍ତ୍ତେ ଆଂଶିକ ଲକ୍‌ଡାଉନ୍ ଘୋଷଣା କରାଯାଇପାରେ ।

ବିଶେଷଜ୍ଞଙ୍କ କହିବା କଥା ଯେ, ଦେଶରେ ଭୟଙ୍କର ଦ୍ୱିତୀୟ ଲହରୀର ତୀବ୍ରତା ମେ’ ଦ୍ୱିତୀୟ ସପ୍ତାହରେ ଥମିବା ସମ୍ଭାବନା ରହିଛି । ଅଶୋକ ୟୁନିଭର୍ସିଟିର ବାୟୋ ସାଇନ୍ସର ପ୍ରଫେସର ଡକ୍ଟର ସାହିଦ୍ ଜମିଲ କହିଛନ୍ତି ଯେ, ଦ୍ୱିତୀୟ ଲହରୀର ପିକ୍ ଆଉ କିଛି ଦିନ ପରେ ଆସିପାରେ । ଦୈନିକ ମାମଲା ୫ରୁ ୬ ଲକ୍ଷକୁ ବୃଦ୍ଧି ହୋଇପାରେ । ତେବେ ଏହି ସଂଖ୍ୟା ଲୋକଙ୍କ ସତର୍କତା ଓ ସେମାନଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ନିର୍ଭର । ଯଦି ଲୋକେ କୋଭିଡ୍ ଗାଇଡ୍‌ଲାଇନର ସଠିକ୍ ଅନୁପାଳନ କରିବେ, ତେବେ ସଂକ୍ରମଣର ତୀବ୍ରତା ଚଳିତ ମାସ ଦ୍ୱିତୀୟ ସପ୍ତାହ ପରେ କମିପାରେ ।

Comments are closed.