ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପନୀ ସଂଧ୍ୟା: ନୃତ୍ୟରେ ଶାନ୍ତି , ପ୍ରେମ , ବିଭୋବର ବାଣୀ ଓ ସମରକଳାର ପରାକାଷ୍ଠା

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ୍ୟାନ୍ସ୍ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ନୈବେଦ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଓଡ଼ିଶାର କଳା , ବୈଚିତ୍ର , ବିଭୋବ ଉପରେ ପର୍ଯ୍ୟବେସିତ ଏକ ଅନନ୍ୟ ଓଡ଼ିଶା ନୃତ୍ୟ କାର୍ଯ୍ୟକ୍ରମ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ବିଜୟ କୁମାର ସାହୁ । ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା କୁଚିପୁଡ଼ି ନୃତ୍ୟ ପରିବେଶଣ । ଯାହାକୁ ପରିବେଶିତ କରିଥିଲେ ବାଙ୍ଗାଲୋରରୁ ଆସିଥିବା ସମ୍ଭାବି ସୁଲ ଅଫ୍ ଡ୍ୟାନ୍ସର କଳାକାରମାନେ । ସେମାନେ ପ୍ରଥମେ ପ୍ରଭୁ ଭିଥୋବାଙ୍କ ଉପରେ ଭକ୍ତିପୁତ କୁଚିପୁଡ଼ି ନୃତ୍ୟ ପରିବେଶଣ କରିଥିଲେ ପରେ ପରେ ତାଳପାକ ଅନାମ ଚରଣଙ୍କ ରଚନାରୁ ଉଦ୍ଧୃତ ଆଦିବ ଅଲ୍ଲଦିବ ପରିବେଶିତ ହୋଇଥିଲା । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବେସିତ ନୃତ୍ୟାଭିନୟ ନୀଳ ମେଘ ସରରେ ପରେ ପରେ ମହାଭାରତରୁ ଉଦ୍ଧୃତ କୁବଜା ଏକ ଅସୁନ୍ଦର ନାରୀ ଶ୍ରୀକୃଷ୍ଣଙ୍କ ଅଗାଢ ଭକ୍ତ , ପ୍ରେମ ଓ ସମର୍ପଣରୁ ଗୋଟିଏ ସୁନ୍ଦର ନାରୀରେ ପରିଣତ ହେବାକୁ କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ସୁନ୍ଦର ପରିବେଶଣ କରିଥିଲେ କଳାକାରମାନେ । ତାଙ୍କର ସମସ୍ତ କାର୍ଯ୍ୟକ୍ରମର ନୃତ୍ୟ ସଂରଚନା କରିଥିଲେ ଗୁରୁ ବୈଜୟନ୍ତ କାଶୀ ।

ଅନ୍ତିମ ସଂଧ୍ୟାର ତୃତୀୟ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଯାହାକୁ ପରିବେଶଣ କରିଥିଲେ ଅନୁଗୁଲରୁ ଆସିଥିବା ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରମାନେ । ସେମାନେ ପ୍ରଥମେ ରାଗ ମାଳିକା ଓ ତାଳ ମାଳିକା ଉପରେ ନିବଦ୍ଧ ଅଗ୍ନି ସୁକ୍ତମ୍ ପରିବେଶଣ କରିଥିଲେ ପରେ ପରେ ରାଗ ଚକ୍ରବାକ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ପଲ୍ଲବୀ ପରିବଷେଣ କରିଥିଲେ ଯାହା ଅତି ଚମତ୍କାର ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସ୍ବପ୍ନାରାଣୀ ସିହ୍ନା ।

ଅନ୍ତିମ ସଂଧ୍ୟାର ଅତିମ ପରିବେଷଣ ଥିଲା ସରେଇକଳା ଛଉ ନୃତ୍ୟ ଯାହାକୁ ପରିବେଶିତ କରିଥିଲେ ନୂଆଦିଲ୍ଲୀରୁ ଆସିଥିବା ଆଚାର୍ଯ୍ୟ ଛଉ ନୃତ୍ୟ ବିଚିତ୍ର ଅନୁଷ୍ଠାନର ଶିଳ୍ପୀମାନେ । ସେମାନେ ପ୍ରଥମେ ରାଗ ଦେଶ ଓ ତାଳ ଷୋଳରେ ଯାତ୍ରାଘାଟ ପରେ ପରେ ବହୁପତି ମନୋରଞ୍ଜନ ଯାହା ସାମରିକ କଳା ଉପରେ ନିବଦ୍ଧ ଥିଲା , ପରିବେଶିତ କରିଥିଲେ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ ମିୟାଙ୍କ ମହୁର ଓ ଚାରୁକେଶି ଓ ତାଳ ଆଠ ମାତ୍ରା ଉପରେ ଗରୁଡ଼ ବାଶୁକି ଏବଂ ଶେଷରେ ଆଖଡ଼ା ନୃତ୍ୟ ପରିଖ ଖେଲୋ ଛଉ ନୃତ୍ୟରେ ସମରକଳା ପରିବେଶଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ , ଓଡ଼ିଶା କୌଶଳ ବିକାଶ ପ୍ରାଧୁକାରୀ ଅଧ୍ୟକ୍ଷ ସୁବ୍ରତୋ ବାଗ, ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଧିକ୍ଷା ସୁସ୍ମିତା ବାଗ , ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ , ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‌ର ସଚିବ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼ . ଇ . ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିତ୍ ।

Comments are closed.