ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ନିର୍ବାଚନ ପ୍ରଚାର କରୁଛନ୍ତି କୃଷକ ନେତା

କୋଲକାତା – କୃଷି ଆଇନ ବିରୋଧରେ ଦିଲ୍ଲୀ ବିଭିନ୍ନ ସୀମାରେ ପ୍ରାୟ ଚାରି ମାସ ଧରି ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ନେତାମାନେ ଏବେ ବିଜେପି ବିରୋଧରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ଅନେକ କୃଷକ ନେତାଙ୍କୁ ଦେଖିବାକୁ ମିଳିଛି । କୋଲକାତା ଠାରୁ ଆରମ୍ଭ କରି ନନ୍ଦିଗ୍ରାମ ପର୍ଯ୍ୟନ୍ତ ଏହି କୃଷକ ନେତାମାନେ ବିଜେପି ବିରୋଧରେ ପ୍ରଚାର କରିବେ ।

ଦିଲ୍ଲୀର ଟିକରୀ ଓ ଗାଜିପରୁ ସୀମାରେ କୃଷି ଆଇନ ବିରୋଧରେ ଧାରଣା ଦେଉଥିବା କିଛି ଆଜି କୋଲକାତାରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେମାନଙ୍କୁ ସକାଳେ କୋଲକାତାର ରାଜରାସ୍ତାରେ ଭାଷଣ ଦେଉଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ କୃଷକ ନେତାମାନେ କୋଲକାତା ପ୍ରେସ୍ କ୍ଲବରେ ଗଣାମଧ୍ୟମ ପ୍ରତିନିଧିଙ୍କୁ ଭେଟିଥିଲେ । ପରେ କୋଲକାତାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ କରିଥିଲେ । କୃଷି ଆଇନ ନେଇ ବିଜେପିକୁ ସେମାନେ କଡ଼ା ସମାଲୋଚନା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ସେମାନେ ‘ନୋ ଭୋଟ୍ ଟୁ ବିଜେପି’ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ ମଧ୍ୟ ଖୁବ୍ ଶୀଘ୍ର ପଶ୍ଚିମବଙ୍ଗ ଯିବେ ବୋଲି ଜଣାପଡିଛି ।

Comments are closed.