ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପଡ଼ିଲା ପ୍ରଥମ ଭୋଟ୍‌, ୮୨ ବର୍ଷୀୟା ବୃଦ୍ଧା ଦେଲେ ପ୍ରଥମ ଭୋଟ୍

‌କୋଲକାତା – ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ହେଲେ ତା’ ପୂର୍ବରୁ ପ୍ରଥମ ଭୋଟ୍ ପଡିସାରିଛି । ପଶ୍ଚିମବଙ୍ଗ ଝାରଗ୍ରାମର ଜଣେ ୮୨ ବର୍ଷୀୟା ବୃଦ୍ଧା ନିଜ ମତଦାନ କରିଛନ୍ତି । ବୟସ୍କ ଭୋଟରଙ୍କ ପାଇଁ ନିର୍ବାଚନ କମିଶନ କରିଥିବା ଘରୁ ଘର ଭୋଟ୍ ଗ୍ରହଣ ବ୍ୟବସ୍ଥା ଅନୁସାରେ ଏହି ବୃଦ୍ଧା ଜଣକ ଭୋଟ୍ ଦେଇଛନ୍ତି ।

ଚଳିତ ଥର ନିର୍ବାଚନ କମିଶନ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ଗମ୍ଭୀର ରୋଗରେ ପୀଡିତ ଭୋଟରଙ୍କ ସୁବିଧା ପାଇଁ ଘରୁ ଘର ଭୋଟ୍ ଦାନ ବ୍ୟବସ୍ଥା କରିଛନ୍ତି । ଏହି ବର୍ଗର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବାକୁ ବିକଳ୍ପ ଦିଆଯାଇଛି । ଏହି ବ୍ୟବସ୍ଥା ଅଧୀନରେ ଝାରଗ୍ରାମର ୮୨ ବର୍ଷର ବୃଦ୍ଧା ବାସନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିଜ ମତଦାନ କରିଛନ୍ତି ।

ନିର୍ବାଚନ କମିଶନ ସୂଚନା ଅନୁଯାୟୀ, ବାସନ୍ତିଙ୍କ ବ୍ୟତୀତ ସେହି ୱାର୍ଡର ଆଉ ଛଅ ୮୦ ବର୍ଷ ବୟସ୍କ ଭୋଟର ମଧ୍ୟ ଭୋଟ୍ ଦେଇଛନ୍ତି । ନିର୍ବାଚନ କମିଶନର ଏକ ଟିମ୍ କିଛି ସିଆରପିଏପ୍ ଯବାନଙ୍କ ସହ ଝାରଗ୍ରାମ୍ ସ୍ଥିତ ବାସନ୍ତିଙ୍କ ଘରକୁ ଯାଇଥିଲେ । ବାସନ୍ତୀଙ୍କ ଘରେ ହିଁ ଏକ ବଖରାରେ ତାଙ୍କୁ ନିଜ ଭୋଟ୍ ଦେବାକୁ ବ୍ୟବସ୍ଥା କରାଯାଇଥିଲା । ସେହି ସମୟରେ ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟ ସେହି ବଖରାକୁ ଆସିବାକୁ ଅନୁମତି ମିଳିନଥିଲା । ବାସନ୍ତୀ ବାଲଟ୍ ପେପର ମାଧ୍ୟମରେ ନିଜ ଭୋଟ୍ ଦେଇଥିଲେ, ଯାହାକୁ ଏକ ଜଉମୁଦ ଲଫାଫା ଭିତରେ ରଖାଯାଇଥିଲା । ଏହି ପୂରା ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯାଇଥିଲା ବୋଲି ନିର୍ବାଚନ କମିଶନ ତରଫରୁ କୁହାଯାଇଛି ।

Comments are closed.