ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ, ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ଠିକାଦାରଙ୍କୁ ମାରିଲେ ଚାପୁଡ଼ା

ଆକୋଲା (ମହାରାଷ୍ଟ୍ର) – ବଟି ଆଦାୟ ଅଭିଯୋଗରେ ନିକଟରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବିବାଦୀୟ ହୋଇ ଇସ୍ତଫା ଦେଇଥିଲେ । ଏବେ ରାଜ୍ୟର ଆଉ ଜଣେ ମନ୍ତ୍ରୀ ନିଜ ଆଚରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରାଜ୍ୟର ଅକୋଲା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ବଚୁ କଡୁ ଆକୋଲାର ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ପରିଦର୍ଶନରେ ଯାଇଥିବା ବେଳେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ସମ୍ପୃକ୍ତ ସଂସ୍ଥାର ଠିକାଦାରଙ୍କୁ ଚାପୁଡ଼ା ମାରିବା ଚର୍ଚ୍ଚାର ବିଷୟ ହୋଇଛି ।

ଗତ ସୋମବାର କାଦୁ ଅଚାନକ ଆକୋଲା ମେଡିକାଲ କଲେଜ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ସମ୍ପର୍କରେ ଯାଞ୍ଚ୍ କରିଥିଲେ । ତେବେ ରୋଗୀମାନଙ୍କୁ ମିଳୁଥିବା ଖାଦ୍ୟ ନିମ୍ନମାନର ବୋଲି ଜାଣିବା ପରେ କଡୁ ରାଗି ଯାଇଥିଲେ । ସେ ତୁରନ୍ତ ଉକ୍ତ ହସ୍ପିଟାଲକୁ ଖାଦ୍ୟ ଯୋଗାଉଥିବା ସଂସ୍ଥାର ଠିକାଦାରକୁ ଡକାଇଥିଲେ ଏବଂ ତାଙ୍କୁ ଖାଦ୍ୟର ମାନ ନେଇ ସ୍ପଷ୍ଟୀକରଣ ମାଗିଥିଲେ । ତାଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ ପାଇବା ପରେ ଠିକାଦାରଙ୍କୁ କଡୁ ଚାପୁଡ଼ା ମାରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Comments are closed.