ପୁଣି ଭାରତୀୟ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ, ସିିକିମର ନାକୁ ଲା’ରୁ ଚୀନ୍ ସୈନିକଙ୍କୁ ତଡ଼ିଲା ଭାରତୀୟ ସେନା

ନୂଆଦିଲ୍ଲୀ – ଲଦାଖରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଥମିନଥିବା ବେଳେ ସିକିମର ନାକୁ ଲା’ ଠାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ନେଇ ଖବର ଆସିଛି । ଗତ ସପ୍ତାହରେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ଚୀନ୍ ସେନା ଉତ୍ତର ସିକିମ୍ ସ୍ଥିତ ନାକୁ ଲା’ରେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା ସେମାନଙ୍କୁ ଅଟକାଇଥିଲେ । ପ୍ରବଳ ଯୁକ୍ତିତର୍କ ପରେ ଉଭୟ ସେନା ମଧ୍ୟରେ ହାତାହାତି ହୋଇଥିଲା । ଚୀନି ଯବାନଙ୍କୁ ମାଡ଼ମାରି ସେମାନଙ୍କୁ ପଛକୁ ତଡ଼ିବାକୁ ସଫଳ ହୋଇଥିଲେ ଭାରତୀୟ ସେନା । ତେବେ ଏହି ସଂଘର୍ଷରେ ଉଭୟ ପକ୍ଷର ସୈନିକ ଆହତ ହୋଇଥିବା ଖବର ମିଳିଛି । ଏହି ସଂଘର୍ଷରେ ଚୀନ୍‌ର ୨୦ ସୈନିକ ଆହତ ହୋଇଥିବା ବେଳେ ଚାରିଜଣ ଭାରତୀୟ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଏହି ଘଟଣାକୁ ନେଇ ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଭାରତୀୟ ସେନା ତରଫରୁ କୁହାଯାଇଛି । ଏହି ଘଟଣା ଏଭଳି ଏକ ସମୟରେ ଘଟିଛି ଯେତେବେଳେ ଲଦାଖରେ ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଗତକାଲି ଆରମ୍ଭ ହୋଇଥିବା ଏହି ଆଲୋଚନା ପ୍ରାୟ ୧୫ ଘଣ୍ଟା ଧରି ଚାଲିଥିଲା । ଗତବର୍ଷ ଜୁନ ୧୫ରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ୍ ହୋଇଥିଲେ । ଚୀନ୍‌ର ଅନେକ ସେନା ମଧ୍ୟ ମୃତାହତ ହୋଇଥିଲେ । କିନ୍ତୁ ଚୀନ୍ ତରପରୁ ଏନେଇ କିଛି ସୂଚନା ଦିଆଯାଇନଥିଲା ।

Comments are closed.