ଫାଇଜର ଟିକାକୁ ଆମେରିକା ବିଶେଷଜ୍ଞ କମିଟିର ସବୁଜ ସଙ୍କେତ

ୱାଶିଂଟନ – ଫାଇଜର ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକୀୟ ଖାଦ୍ୟ ଓ ଡ୍ରଗ୍ସ ପ୍ରଶାସନ (ଏଫ୍‌ଡିଏ)ର ଏକ ବିଶେଷଜ୍ଞ କମିଟି ସବୁଜ ସଙ୍କେତ ଦେଇଛି । ଫାଇଜର ଟିକା ଉପରେ ବିଚାର ବିମର୍ଷ ହେବା ପରେ ଭୋଟିଂ ହୋଇଥିଲା । ତେବେ ଏହି ଟିକା ସପକ୍ଷରେ ୧୭ ଭୋଟ୍ ପଡିଥିଲା ବେଳେ ବିପକ୍ଷରେ କେବଳ ୪ ଭୋଟ୍ ପଡିଥିଲା । ଏହି ଟିକା ୧୬ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଠାରେ ପ୍ରୟୋଗ କରାଗଲେ ରିସ୍କ ଅପେକ୍ଷା ଅଧିକ ଲାଭ ମିଳିବ ବୋଲି ଏଫ୍‌ଡିଏର ଶୁଣାଣି ବେଳେ ମତ ପ୍ରକାଶ ପାଇଥିଲା । ଫାଇଜର-ବୟୋଏନଟେକ୍ ଟିକାର ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ସୁପାରିସ୍ କରିଥିବା ବେଳେ ଏବେ ଏଫ୍‌ଡିଏ କିଛିଦିନ ମଧ୍ୟରେ ଏହା ଉପରେ ଚୂଡାନ୍ତ ନିଷ୍ପତି ନେବ । ପୂର୍ବରୁ ଇଂଲଣ୍ଡ, ବାହାରେନ୍‌, କାନାଡା ଓ ସାଉଦି ଆରବ ଫାଇଜର-ବାୟୋଏନଟେକ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ଦେଇସାରିଛନ୍ତି । ବ୍ରିଟେନ୍ ପ୍ରଥମ ଦେଶ ଭାବେ ଲୋକଙ୍କୁ ଫାଇଜର-ବାୟୋଏନଟେକ୍ ଟିକା ଦେବା ଆରମ୍ଭ କରିଛି ।

Comments are closed.