ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ – ମେଲବୋର୍ଣ୍ଣ ଟେଷ୍ଟରେ ଚମତ୍କାର ବିଜୟ ପରେ ଆଇସିସ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଏଥିସହ ଭାରତର ଫାଇନାଲ ଆଶା ମଧ୍ୟ ଉଜ୍ଜୀବିତ ରହିଛି । ବକ୍ସିଂ ଡେ ଟେଷ୍ଟରେ ୮ ୱିକେଟ୍‌ରେ ବିଜୟ ପରେ ଭାରତ ଆଉ ୩୦ ପଏଣ୍ଟ ହାସଲ କରିଛି । ଭାରତର ମୋଟ ୩୯୦ ପଏଣ୍ଟ ସହ ଟେଷ୍ଟ ଚାମ୍ପିୟନସିପ୍ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଭାରତର ପଏଣ୍ଟ ପ୍ରତିଶତ ହେଉଛି ୭୨.୨% ।

ମେଲବୋର୍ଣ୍ଣ ଟେଷ୍ଟରେ ପରାଜୟ ସତ୍ତ୍ୱେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି । ତେବେ ଉକ୍ତ ଟେଷ୍ଟରେ ମନ୍ଥର ବୋଲିଂ ଯୋଗୁଁ ଦଳକୁ ପେନାଲ୍ଟି ସ୍ୱରୂପ କିଛି ପଏଣ୍ଟ ହରାଇବାକୁ ପଡିଛି । ଅଷ୍ଟ୍ରେଲିଆ ୩୨୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ଓ ଦଳର ପଏଣ୍ଟ ପ୍ରତିଶତ ହେଉଛି ୭୬.୬% । ଅନ୍ୟପକ୍ଷେ ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିୟନସିପ୍ ତାଲିକାରେ ତୃତୀୟ ସ୍ଥାନରେ ନିଜ ସ୍ଥିତି ସୁଦୃଢ଼ କରିନେଇଛି । ନ୍ୟୁଜିଲାଣ୍ଡ ୧୦୧ ରନରେ ପାକିସ୍ତାନକୁ ପରାସ୍ତ କରିଥିଲା ।

ଏଥିସହ କିୱି ଦଳ ୬୦ ପଏଣ୍ଟ ପାଇଛି । ଦଳର ପଏଣ୍ଟ ପ୍ରତିଶତ ୬୬.୭%କୁ ବୃଦ୍ଧି ପାଇଛି । ପାକିସ୍ତାନ ବିପକ୍ଷ ବୃହତ୍ ବିଜୟ ସହ ନ୍ୟୁଜିଲାଣ୍ଡ ମଧ୍ୟ ପ୍ରଥମ ଥର ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି ।

Comments are closed.