ଭାରତରେ କୋଭିଡ୍‌-୧୯ ଟିକା ‘କୋଭୋଭାକ୍ସ’ ର ଟ୍ରାଏଲ ଆରମ୍ଭ, ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହୋଇପାରେ

ନୂଆଦିଲ୍ଲୀ – ବିଶ୍ୱର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଆଉ ଏକ କୋଭିଡ୍‌-୧୯ ଟିକା ‘କୋଭାଭାକ୍ସ’ର ଟ୍ରାଏଲ ଆରମ୍ଭ କରିଛି । କମ୍ପାନୀ ଏହି ଟିକାକୁ ସେପ୍ଟେମ୍ବର ସୁଦ୍ଧା ଲଞ୍ଚ୍ କରିବାକୁ ଲକ୍ଷ୍ୟ ରଖିଛି । ଆମେରିକୀୟ ଟିକା ଉତ୍ପାଦନକାରୀ କମ୍ପାନୀ ନୋଭାଭାକ୍ସ ସହ ମିଳିତ ଭାବେ ସେରମ୍ ‘କୋଭାଭାକ୍ସ’ ଟିକା ତିଆରି କରୁଛି । ଭାରତ ଭଳି ସ୍ୱଳ୍ପ ଓ ମଧ୍ୟ ଆୟକାରୀ ଦେଶଗୁଡିକରେ ଏହି ଟିକାର ବିକ୍ରି ପାଇଁ ନୋଭାଭାକ୍ସ ଓ ସେରମ୍ ମଧ୍ୟରେ ଚୁକ୍ତି ହୋଇଛି ।

‘କୋଭାଭାକ୍ସ’ ଟିକାର ଭାରତରେ ଟ୍ରାଏଲ ଆରମ୍ଭ ହେବା ସମ୍ପର୍କରେ ସେରମ୍ ଅଧ୍ୟକ୍ଷ ଆଦର ପୁନାୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନୋଭାଭାକ୍ସ ଓ ସେରମ୍‌ର ସହଭାଗିତାରେ ଏହି ଟିକା ବିକଶିତ କରାଯାଇଛି । କୋଭିଡ୍‌-୧୯ର ଆଫ୍ରିକୀୟ ଓ ୟୁକେ ଷ୍ଟ୍ରେନ୍ ବିରୋଧରେ ଏହି ଟିକାର ପରୀକ୍ଷା କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷାରେ ଏହି ଟିକା କରୋନା ସଂକ୍ରମଣ ରୋକିବାରେ ୮୯% ପ୍ରଭାବୀ ସାବ୍ୟସ୍ତ ହୋଇଛି । ‘କୋଭାଭାକ୍ସ’କୁ ସେପ୍ଟେମ୍ବର ସୁଦ୍ଧା ଲଞ୍ଚ୍ କରିବାର ଯୋଜନା ରହିଛି ବୋଲି ପୁନାୱାଲା ଟ୍ୱିଟ୍ କରିଛନ୍ତି ।

ସେରମ୍ ପୂର୍ବରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ‘କୋଭିସିଲ୍ଡ’ ନାମରେ ଭାରତ ଓ ଅନ୍ୟ ଦେଶରେ ବିତରଣ କରୁଛି ।

Comments are closed.