ଭାରତ-ଚୀନ୍ ମଧ୍ୟରେ ଆଜି ଦଶମ ରାଉଣ୍ଡ ବୈଠକ; ହଟ୍ ସ୍ପ୍ରିଙ୍ଗ୍, ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ହଟାଇବା ନେଇ ହେବ ଆଲୋଚନା

ନୂଆଦିଲ୍ଲୀ – ପାଙ୍ଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରୁ ସୈନ୍ୟ ପ୍ରତ୍ୟାହାର ପରେ ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ରାଉଣ୍ଡ ବୈଠକ ହେବ। ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ୍, ଗୋଗ୍ରା ଏବଂ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ହଟାଇବା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ। ଏହି ବୈଠକ ସକାଳ ୧୦ ଟାରୁ ଏଲ୍ଏସି ଉପରେ ଥିବା ମୋଲଡୋ ସୀମା ପଏଣ୍ଟରେ ହେବ | ଲେହରେ ୧୪ ତମ କର୍ପସର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ପିଜି କେ ମେନନଙ୍କ ଏହି ଆଲୋଚନାରେ ଭାରତର ନେତୃତ୍ୱ ନେବେ । ଚୀନ୍ ଦଳର ନେତୃତ୍ୱ ନେବେ ମେଜର ଜେନେରାଲ ଲିୟୁ ଲିନ, ଯିଏ ଚୀନ୍ ସେନାର ଦକ୍ଷିଣ ଜିନଜିଆଙ୍ଗ ମିଲିଟାରୀ ଜିଲ୍ଲାର କମାଣ୍ଡର ଅଟନ୍ତି।

ପାଙ୍ଗୋଙ୍ଗ ହ୍ରଦର ଉତ୍ତର-ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଅପସାରଣ ଗୁରୁବାର ଦିନ ଶେଷ ହୋଇଛି। ଏହି ସମୟରେ ଚୀନ୍ ପ୍ରଥମ ଥର ପାଇଁ ଗତ ବର୍ଷ ଜୁନ୍ ମାସରେ ଗଲ୍ଓ୍ବାନ ଉପତ୍ୟକାରେ ଭାରତୀୟ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ଏହାର ଚାରିଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା। ଗଲ୍ଓ୍ବାନ ଉପତ୍ୟକା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ସୈନିକ ସହିଦ୍ ହୋଇଥିଲେ। ଆମେରିକାର ଗୋଇନ୍ଦା ରିପୋର୍ଟରେ କୁହାଯାଇଥିଲା ଯେ ଏହି ସଂଘର୍ଷରେ ୩୫ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ।

Comments are closed.