ମମତାଙ୍କ ବାମ ପାଦରେ ଲାଗିଛି ଗଭୀର ଆଘାତ, ଜ୍ୱର ସହ ଛାତିରେ ଯନ୍ତ୍ରଣା, ୨୪ ଘଣ୍ଟା ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ଦିଦି

କୋଲକାତା – ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର ଏସ୍‌ଏସ୍‌କେଏମ୍ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ମମତାଙ୍କ ବାମପାଦରେ ଗଭୀର ଆଘାତ ଲାଗିଛି । ତେବେ ସୌଭାଗ୍ୟ ବଶତଃ ତାଙ୍କର ହାଡ଼ ଭାଙ୍ଗିନାହିଁ ବୋଲି ମମତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ଛାତିରେ ଯନ୍ତ୍ରଣା ନେଇ ମଧ୍ୟ ମମତା ଅଭିଯୋଗ କରିଛନ୍ତି । ବୁଧବାର ରାତିରେ ତାଙ୍କର ଇସିଜି ଟେଷ୍ଟ କରାଯାଇଥିଲା । ଏଥିରେ କୌଣସି ଅସ୍ୱାଭାବିକତା ନାହିଁ ବୋଲି ଡାକ୍ତର କହିଛନ୍ତି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଦିଦି ଡାକ୍ତରୀ ନିରୀକ୍ଷଣରେ ରହିବେ ବୋଲି ସୂଚନା ମିଳିଛି ।

ଗତକାଲି ମମତା ପୂର୍ବ ମେଦିନିପୁରର ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଦାଖଲ ପରେ ସେ ସ୍ଥାନୀୟ କିଛି ମନ୍ଦିର ଯାଇ ଦର୍ଶନ କରିବା ସହ ଲୋକଙ୍କ ସହ ମିଳାମିଶା କରିଥିଲେ । ଏହି ସମୟରେ ଗୋଟିଏ ସ୍ଥାନରେ ମମତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିବାରୁ ଠେଲା ପେଲା ହୋଇଥିଲା ଏବଂ ମମତାଙ୍କ ପାଦରେ ଆଘାତ ଲାଗିଥିଲା । ତେବେ ମମତା ଅଭିଯୋଗ କରିଥିଲେ ଯେ, ବିଜେପିର କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ତାଙ୍କୁ ନନ୍ଦିଗ୍ରାମର କୋଲକାତାର ଏସ୍‌ଏସ୍‌କେଏମ୍ ହସ୍ପିଟାଲକୁ ଆଣିବା ପାଇଁ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଥିଲା ।

ଅନ୍ୟପକ୍ଷେ ମମତା ଆଘାତ ହେବା ଘଟଣାରେ ନିର୍ବାଚନ କମିଶନ ସ୍ଥାନୀୟ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ମମତା କରିଥିବା ଅଭିଯୋଗକୁ ବିଜେପି ଖଣ୍ଡନ କରି ଏହା ଦିଦିଙ୍କ ଡ୍ରାମା ବୋଲି କହିଛି ।

Comments are closed.