ମୋଦିଙ୍କ ‘ମନ୍ କି ବାତ୍’ ପ୍ରସାରଣ ସମୟରେ ଥାଳି ବଜାଇବେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୬ ଦିନରେ ପହଂଚିଛି । କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆଜି ଦିନିକିଆ ଅନଶନ ଘୋଷଣା କରିଛନ୍ତି। ସ୍ୱରାଜ ଅଭିିଯାନ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ଚାଷୀମାନେ କୃଷି ଆଇନ ବିରୋଧରେ ସମସ୍ତ ପିକେଟିଂ ସ୍ଥାନରେ ୨୪ ଘଣ୍ଟା ଉପବାସ ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ ଭାରତୀୟ କିସାନ ୟୁନିଅନର ନେତା ଜଗଜିତ ସିଂ ଡାଲେୱାଲା ୨୭ ଡିସେମ୍ବର ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ସମୟରେ ଥାଳି ବଜାଇବା ପାଇଁ ସମସ୍ତ ଚାଷୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୨୭ ରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯେତେ ସମୟ ପର୍ଯ୍ୟନ୍ତ କହିବେ, ସେତେ ସମୟ ଧରି ନିଜ ଘରେ ଥାଳି ବଜାଇବାକୁ ଆମେ ସମସ୍ତ ଚାଷୀ ଭାଇଙ୍କୁ ଅନୁରୋଧ କରୁଛୁ ।

ଏହାଛଡା ଡିସେମ୍ବର ୨୫ ରୁ ୨୭ ପର୍ଯ୍ୟନ୍ତ ହରିୟାଣାର ସବୁ ଟୋଲ୍ ପଏଣ୍ଟରେ ଟୋଲ୍ ନଦେବାକୁ ଡାଲୱାଲା ଚାଷୀମାନଙ୍କୁ ନିବେଦନ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆଗାମୀ ଦିନରେ ଚାଷୀଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବାକୁ ଯାଉଛି।

Comments are closed.