ମୋଦିଙ୍କ ସମ୍ବୋଧନ ବେଳେ ଥାଳି, ଘଣ୍ଟ ପିଟିଲେ ଚାଷୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୃଷି ଆଇନକୁ ସମର୍ଥନ କରୁଥିବା ୬ ରାଜ୍ୟର ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ । ଏହି ଅବସରରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ ଅଧୀନରେ ଚାଷୀଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଜମା ବି କରାଯାଇଥିଲା । ମୋଦି ଚାଷୀଙ୍କୁ ସମ୍ବୋଧନ କରି କୃଷି ଆଇନର ଲାଭ ବିଷୟରେ ମଧ୍ୟ କହିଥିଲେ । ତେବେ ମୋଦିଙ୍କ ଏହି ସମ୍ବୋଧନ ବେଳେ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଥିବା ଚାଷୀମାନେ ଥାଳି, ଘଣ୍ଟ ପିଟି ପ୍ରତିବାଦ ଜଣାଇଥିଲେ । ଭାରତୀୟ କିଷାନ ୟୁନିୟନ (ଲୋକଶକ୍ତି) ନାମକ କୃଷକ ସଂଗଠନ ତରଫରୁ ଏଭଳି ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ମୋଦି ପୁଣି ଆଜି ତାଙ୍କ ମନକଥା କହିଛନ୍ତି । କିନ୍ତୁ ସେ ଚାଷୀମାନଙ୍କ ମନକଥା ଶୁଣୁ ନାହାନ୍ତି । ଚାଷୀମାନେ ଦୀର୍ଘ ଏକ ମାସ ଧରି କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏମ୍‌ଏସ୍‌ପି ବ୍ୟବସ୍ଥା ଉପରେ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି ଚାଷୀ । କିନ୍ତୁ ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି ବୋଲି ଭାରତୀୟ କିଷାନ ୟୁନିୟନ (ଲୋକଶକ୍ତି)ର ପ୍ରବକ୍ତା ଶୈଳେଶ କୁମାର ଗିରି କହିଛନ୍ତି ।

ଚାଷୀ ଆନ୍ଦୋଳନ ପାଇଁ ମୋଦି ଶୁକ୍ରବାର ପୁଣିଥରେ ବିରୋଧୀ ଦଳଙ୍କୁ ଦାୟୀ କରିଛନ୍ତି । ରାଜନୈତିକ ଏଜେଣ୍ଡା ସହ କିଛି ବ୍ୟକ୍ତି ଚାଷୀମାନଙ୍କୁ ନିଜ ସମସ୍ୟାର ସମାଧାନ ଲାଗି ସରକାରଙ୍କ ସହ ଆଲୋଚନା କରିବାକୁ ଦେଉ ନାହାନ୍ତି । ଚାଷୀଙ୍କ ସହ ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି । କିନ୍ତୁ ଏହା ଯୁକ୍ତିସଙ୍ଗତ ଦାବି ଉପରେ ହେବା ଉଚିତ ବୋଲି ମୋଦି କହିଛନ୍ତି ।

Comments are closed.