ରଜନୀକାନ୍ତ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ – ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କୁ ୨୦୧୯ ପାଇଁ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

୧୯୬୯ରେ ପ୍ରତିଷ୍ଠିତ ଦାଦା ସାହେବ୍ ଫାଲ୍‌କେ ପୁରସ୍କାର ହେଉଛି ଭାରତୀୟ ଫିଲ୍ମର ସର୍ବଶ୍ରେଷ୍ଠ ସମ୍ମାନ । ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ଏହି ସମ୍ମାନ ମଧ୍ୟ ଯୋଗ୍ୟ ସିନେ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଏ । ଏକ ଜୁରୀ ଦ୍ୱାରା ଏହି ପୁରସ୍କାରର ବିଜେତାଙ୍କୁ ଚୟନ କରାଯାଏ । ଏଥର ଗାୟିକା ଆଶା ଭୋଁସଲେ, ନିର୍ଦ୍ଦେଶକ ସୁଭାଷ ଘାଇ, ଅଭିନେତା ମୋହନ ଲାଲ, କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଓ ଅଭିନତା ବିଶ୍ୱଜିତ ଚାଟାର୍ଜୀଙ୍କୁ ନେଇ ଗଠିତ ଜୁରୀ ଏହି ପୁରସ୍କାର ପାଇଁ ରଜନୀକାନ୍ତଙ୍କ ନାମ ସୁପାରିସ କରିଛନ୍ତି ।

୨୦୧୮ରେ ବିଗ୍‌-ବି ଅମିତାଭ ବଚ୍ଚନଙ୍କୁ ଏହି ପୁରସ୍କାର ମିଳିଥିଲା ।

ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିିବା ପରେ ରଜନୀକାନ୍ତ ରାଜନୈତିକ ମଇଦାନରେ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତି କରିଥିଲେ । ସେ ଏକ ନୂଆ ଦଳ ଗଢ଼ି ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ହେଲେ ଅସୁସ୍ଥତା କାରଣରୁ ରଜନୀକାନ୍ତ ପରେ ଏହି ନିଷ୍ପତ୍ତିରୁ ଓହରି ଯାଇଥିଲେ ।

୧୯୭୫ରେ କେ.ବାଲଚନ୍ଦରଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ଅପୂର୍ବା’ରୁ ରଜନୀକାନ୍ତଙ୍କ ସିନେ କ୍ୟାରିୟର ଆରମ୍ଭ ହୋଇଥିଲା । ଏହାପରେ ସେ ବିଲ୍ଲୁ, ମୁଥୁ, ବାଶା, ଶିବାଜୀ ଓ ଇନ୍ଥିରାନ ଭଳି ଗୋଟିଏ ପରେ ଗୋଟିଏ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଏହି ୭୦ ବର୍ଷୀୟ ଅଭିନେତା ହମ୍‌, ଚାଲବାଜ୍ ଭଳି ହିଟ୍ ହିନ୍ଦୀ ଫିଲ୍ମରେ ବି ଅଭିନୟ କରିଛନ୍ତି । ଗତବର୍ଷ ରିଲିଜ୍ ହୋଇଥିବା ‘ଦରବାର’ ତାଙ୍କର ଶେଷ ଫିଲ୍ମ ଥିଲା । ଏହି ଭେଟେରାନ ଅଭିନେତା ଆଗାମୀ ଫିଲ୍ମ ‘ଆନାଥେ‘ର ସମ୍ପ୍ରତି ସୁଟିଂ ଚାଲିଛି ।

Comments are closed.