ଶୁକ୍ରବାର ଠାରୁ ବ୍ରିସବେନ୍‌ରେ ସିରିଜ୍ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟ, ଅଷ୍ଟ୍ରେଲିଆର ‘ଅଭେଦ୍ୟ ଦୁର୍ଗ’ ଦଖଲ ଲକ୍ଷ୍ୟରେ ଭାରତ

ବ୍ରିସବେନ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ସିରିଜ୍ ନିର୍ଣ୍ଣାୟକ ଟେଷ୍ଟ ଶୁକ୍ରବାର ଠାରୁ ସ୍ଥାନୀୟ ଗାବା ଷ୍ଟାଡିୟମରେ ଆରମ୍ଭ ହେଉଛି । ପ୍ରତିକୂଳ ପରିସ୍ଥିତିରେ ସିଡନୀ ଟେଷ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ ସହ ପରାଜୟ ଏଡାଇବା ପରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଚଳିତ ଅଷ୍ଟ୍ରେଲିଆ ଗସ୍ତର ଶେଷ ଚାଲେଞ୍ଜ୍ ପାଇଁ ଅଣ୍ଟା ଭିଡିଛି । ବର୍ଡର-ଗାଭାସ୍କର ଟ୍ରଫି ହାତେଇବା ପାଇଁ ଅଷ୍ଟ୍ରେଲିଆକୁ ବ୍ରିସବେନରେ ବିଜୟ ଜରୁରୀ । ଅନ୍ୟପକ୍ଷେ ଆଉ ଦୁଇ ବର୍ଷ ପାଇଁ ଏହି ଟ୍ରଫି ବଜାୟ ରଖିବାକୁ ଭାରତକୁ କେବଳ ଏକ ଡ୍ର ଦରକାର ।

ଭାରତ ପାଇଁ ବଡ଼ ଆହ୍ୱାନ ହେଉଛି ଆଘାତ ସମସ୍ୟା । ଚଳିତ ସିରିଜରେ ଦଳର ଅଧା ଡଜନରୁ ଅଧିକ ଖେଳାଳି ଆଘାତ ପ୍ରାପ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଚଳିତ ସିରିଜରୁ ବାଦ୍ ପଡିଥିବା ବେଳେ ଅନ୍ୟ କିଛିଙ୍କ ଚତୁର୍ଥ ଟେଷ୍ଟରେ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ବ୍ରିସବେନ ଅଷ୍ଟ୍ରେଲିଆର ଦଳର ‘ଅଭେଦ୍ୟ ଦୁର୍ଗ’ ଭାବେ ପରିଚିତ । ଏଠାରେ ଅଷ୍ଟ୍ରେଲିଆ ୧୯୮୮ରୁ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ହାରି ନାହିଁ । ଏଥର ବି ଏଠାରେ ଏହି ଧାରା ବଜାୟ ରଖିବାକୁ ଅଷ୍ଟ୍ରେଲିଆ ଆଶାବାଦୀ । ତେବେ ଅତୀତ ରେକର୍ଡରେ ବିଶ୍ୱାସ କରିବା ପରିବର୍ତ୍ତେ ବର୍ତ୍ତମାନ ଉପରେ ପ୍ରାଧାନ୍ୟ ଦେଉଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆର ଏହି ଅଭେଦ୍ୟ ଦୁର୍ଗ ଦଖଲ କରିବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ଷ୍ଟାର ପେସର ବୁମରାଙ୍କୁ ନେଇ ଏବେ ବି ସସପନ୍ସେ ଜାରି ରହିଛି । ବୁମରା ୫୦% ଫିଟ୍ ଅଛନ୍ତି । ତାଙ୍କୁ ଖେଳାଯିବ କି ନାହିଁ ସେନେଇ ଟସ୍ ପୂର୍ବରୁ ହିଁ ନିଷ୍ପତ୍ତି ନିଆଯିବ ବୋଲି କୋଚ୍ ବିକ୍ରମ ରାଠୋର ଗୁରୁବାର କହିିଛନ୍ତି । ସେ କହିଛନ୍ତି ଯେ, ଦଳର ସବୁ ଖେଳାଳିଙ୍କ ଆଘାତ ସମସ୍ୟା ଉପରେ ମେଡିକାଲ ଟିମ୍ କାମ କରୁଛି । ଯଦି ବୁମରା ଫିଟ୍ ଘୋଷିତ ହୁଅନ୍ତି, ତେବେ ସେ ଖେଳିବେ ।

ବ୍ରିସବେନ ଟେଷ୍ଟରେ ଭାରତ ପାଞ୍ଚ ପରିବର୍ତ୍ତେ ଚାରି ବୋଲରଙ୍କୁ ଖେଳାଇପାରେ । ଅର୍ଥାତ୍ ଦଳ ସାତ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ପଡିଆକୁ ଓହ୍ଲାଇବ । ରୋହିତ ଓ ଗିଲ୍ ପୁଣିଥର ଇନିଂସ ଓପନ କରିବେ । ଯଦି ମୟଙ୍କ ଅଗ୍ରୱାଲ ଫିଟ୍ ତେବେ ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ପୂଜାରା ଚତୁର୍ଥ ଓ ରାହାଣେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବେ । ଆହତ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ପୃଥ୍ୱୀ ଶ’ କିମ୍ବା ରିଦ୍ଧିମାନ ଶାହାଙ୍କୁ ସୁଯୋଗ ମିଳିପାରେ । ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ବି ଜାଡେଜାଙ୍କ ସ୍ଥାନ ନେବାକୁ ଦାବିଦାର ।

ବୁମରାଙ୍କ ଆଘାତ ସମସ୍ୟା ଦୃଷ୍ଟିରୁ ପେସ୍ ବୋଲିଂ ଲାଇନ୍ ଅପ୍ ନେଇ ଭାରତ ଚିନ୍ତିତ । ବୁମରା ଯଦି ନ ଖେଳନ୍ତି, ତେବେ ଶାର୍ଦ୍ଦୁଲ ଠାକୁର ଅନ୍ୟ ଦୁଇ ପେସର ନବଦୀପ ସାଇନ ଓ ମହମ୍ମଦ ସିରାଜଙ୍କ ସହ ପେସ୍ ବୋଲିଂ ଦାୟିତ୍ୱ ସମ୍ଭାଳିବେ । ବୁମରାଙ୍କ ବଦଳରେ ଟି.ନଟରାଜନଙ୍କ ରୂପରେ ଭାରତ ପାଖରେ ଆଉ ଏକ ବିକଳ୍ପ ବି ରହିଛି । ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆଘାତ କାରଣରୁ ଯୁବ ଓପନର ୱିଲି ପୁକୋସ୍କି ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ମାର୍କସ୍ ହାରିସଙ୍କୁ ଦଳରେ ସାମିଲ କରାଯାଇଛି ।

Comments are closed.