ସବୁ ବିବାହ ବିଚ୍ଛେଦ ମାମଲାରେ ସମାନ ଭରଣ ପୋଷଣ ରାଶି ଧାର୍ଯ୍ୟ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ – ବିବାହ ବିଚ୍ଛେଦ ମାମଲାରେ ଧର୍ମ, ଜାତି ଓ ଲିଙ୍ଗ ଆଧାରରେ ଭେଦଭାବ ବିନା ସମସ୍ତଙ୍କ ପାଇଁ ସମାନ ଭରଣ ପୋଷଣ ରାଶି ଧାର୍ଯ୍ୟ କରିବାକୁ ନେଇ ଏକ ପିଟିସନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ଠାରୁ ଜବାବ ଲୋଡିଛନ୍ତି । ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଆଇନ ଓ ସାମାଜିକ ନ୍ୟାୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ନୋଟିସ୍ ଜାରି କରିଛନ୍ତି । ଏହି ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଲେ ଜଷ୍ଟିସ୍ ଏଏସ୍ ବୋପାନ୍ନା ଓ ଭି.ରାମସୁବ୍ରମନିଅନ୍ । ବିବାହ ବିଚ୍ଛେଦ ମାମଲାର ସମ୍ପ୍ରତି ଜାତି, ଧର୍ମ, ଲିଙ୍ଗ ଆଧାରରେ ଭରଣ ପୋଷଣ ରାଶି ଧାର୍ଯ୍ୟ କରାଯାଉଛି । ଏହା ପରିବର୍ତ୍ତେ ସବୁ ଧର୍ମାବଲମ୍ବୀ, ଜାତି ଓ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ସମାନ ଭରଣ ପୋଷଣ ରାଶି ପ୍ରଦାନ କରାଯାଉ ବୋଲି ପିଟିସନରେ ଯୁକ୍ତି କରାଯାଇଛି ।

ସମ୍ବିଧାନରେ ଏ ବାବଦରେ ସ୍ପଷ୍ଟ ଉଲ୍ଲେଖ ରହିଥିଲେ ବି କେନ୍ଦ୍ର ସରକାର ସବୁ ନାଗରିକଙ୍କୁ ଜାତିଗତ, ଧାର୍ମିକ ଓ ଲୈଙ୍ଗିକ ଭେଦଭାବ ବିନା ଭରଣ ପୋଷଣ ରାଶି ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ସରକାର ଏହି ମାମଲା ଉପରେ ଗୁରୁତ୍ୱର ସହ ବିଚାର କରି ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ଉଚିତ । ଯଦ୍ୱାରା ଆଗାମୀ ଦିନରେ କୌଣସି ବ୍ୟକ୍ତି ଯେଭଳି ଭେଦଭାବର ଶିକାର ନ ହେବେ ବୋଲି ପିଟିସନରେ କୁହାଯାଇଛି ।

Comments are closed.