ସେପ୍ଟେମ୍ବର ପରେ ସଂକ୍ରମଣରେ ରେକର୍ଡ ବୃଦ୍ଧି, ଭାରତରେ ଆଉ ୯୩ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ କରୋନାର ଦୈନିକ ମାମଲା ପ୍ରତି ଦିନ ରେକର୍ଡ ଭାଙ୍ଗୁଛି । ଗତାକଲି ୮୯ ହଜାର ମାମଲା ଆସିଥିବା ବେଳେ ଆଜି ୯୩,୨୪୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ପରେ ଦୈନିକ ମାମଲାରେ ରେକର୍ଡ ବୃଦ୍ଧି ଘଟିଛି । ଶେଷଥର ସେପ୍ଟେମ୍ବର ୧୯ରେ ୯୩,୩୩୭ ମାମଲା ଆସିଥିଲା ।

ନୂଆ ରୋଗୀଙ୍କୁ ମିଶାଇ ଭାରତରେ ମୋଟ କରୋନା ମାମଲା ଏବେ ୧.୨୪ କୋଟିକୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଏହି ମହାମାରୀରେ ଆଉ ୫୧୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଯାହା ଗତକାଲି ତୁଳନାରେ ୨୮% କମ୍ । ଗତକାଲି କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୪ ଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି । ଏଥିମଧ୍ୟରୁ ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ୬ ଲକ୍ଷ ୯୧ ହଜାର ୫୯୭ରେ ପହଞ୍ଚିଛି । ଭାରତରେ ଏହି ମହାମାରୀରେ ଏଯାବତ ୧ ଲକ୍ଷ ୬୪ ହଜାର ୬୨୩ ଜଣଙ୍କ ମୃତ୍ୟୁ ହୋଇଛି ।

ଆଠ ରାଜ୍ୟରେ ଦେଶର ୮୧ ପ୍ରତିଶତ ମାମଲା ରେକର୍ଡ ଆସିଛି । ଏହି ଆଠଟି ରାଜ୍ୟ ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଧ୍ୟ ପ୍ରଦେଶ । ଏହି ୮ ରାଜ୍ୟରୁ କେବଳ ମହାରାଷ୍ଟ୍ରରେ ହିଁ ଦେଶର ୬୦% କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ଆଉ ୪୯,୪୪୭ ନୂଆ ରୋଗୀ ମିଳିଥିବା ବେଳେ ୨୭୭ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.