୨୦୨୨ ସୁଦ୍ଧା ଭାରତରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ – ଦେଶରେ ଆସନ୍ତାବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବ । ସଂସଦରେ ଉପସ୍ଥାପିତ ଏକ ରିପୋର୍ଟରେ ଏହା କୁହାଯାଇଛି । ୫ଜି ସେବା ଆରମ୍ଭ କରିବା ପୂର୍ବରୁ ଆଉ ଏକ ରାଉଣ୍ଡ ସ୍ପେକ୍ଟ୍ରମ ନିଲାମ ହେବ । ତେବେ ୫ଜି ସେବା ବିଳମ୍ବ ନେଇ ଷ୍ଟାଣ୍ଡିଂ କମିଟି ଟେଲି ଯୋଗାଯୋଗ ବିଭାଗକୁ ସମାଲୋଚନା କରିଛି । ମାର୍ଚ୍ଚ ୧ରୁ ସ୍ପେକ୍ଟ୍ରମ ନିଲାମ ଆରମ୍ଭ ହେବା ନେଇ ଟେଲିକମ ମନ୍ତ୍ରାଳୟ ତରଫରୁ ପୂର୍ବରୁ ଘୋଷଣା କରାଯାଇଛି । କିନ୍ତୁ ଏହି ସ୍ପେକ୍ଟ୍ରମ ନିଲାମ ୫ଜି ସେବା ପରିବର୍ତ୍ତେ ୪ଜି ସେବା ପାଇଁ ହେବ । ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତାବର୍ଷ ଆରମ୍ଭରେ ଆଂଶିକ ଭାବେ ୫ଜି ସେବା ଆରମ୍ଭ କରାଯିବ । କାରଣ ଦେଶରେ ୪ଜି ସେବା ଆଉ ୫-୬ ବର୍ଷ ଚାଲିବ ବୋଲି ଟେଲି ଯୋଗାଯୋଗ ବିଭାଗ ତରଫରୁ କୁହାଯାଇଛି ।

୫ଜି ସେବା ନେଇ ଟେଲି ଯୋଗାଯୋଗ ରିପୋର୍ଟ ଉପରେ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ଅସନ୍ତୋଷ ପ୍ରକାଶ କରିଛି । ଦେଶରେ ୫ଜି ସେବା ବିଳମ୍ବ ହେବା କେନ୍ଦ୍ରର ଯୋଜନା ଓ କାର୍ଯ୍ୟାନ୍ୱୟନର ମନ୍ଥର ଗତିକୁ ଦର୍ଶାଉଛି ବୋଲି କମିଟି କହିଛି ।

Comments are closed.