କରୋନା ବ୍ୟାପିବା ନେଇ ଚୀନ୍‌ର ଭୂମିକା ଉପରୁ ହଟିବ ପରଦା, ଡବ୍ଲୁଏଚ୍‌ଓ ଟିମ୍ ଆଜି ଦେବ ରିପୋର୍ଟ

ବେଜିଂ –କରୋନା ମହାମାରୀର ଉତ୍ପତ୍ତି ଚୀନର ଉହାନ୍ ସହରରୁ ହୋଇଥିଲା କି ନାହିଁ ଆଜି ତାହା ସ୍ପଷ୍ଟ ହେବ । କରୋନା ପ୍ରଥମେ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିଲା ବୋଲି କୁହାଯାଇଥିଲା । ଏନେଇ ଅନୁଧ୍ୟାନ କରିବାକୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଟିମ୍ ଉହାନ ଯାଇଥିଲା । ଏହି ଟିମ୍ ଆଜି ତାର ରିପୋର୍ଟ ସର୍ବସମ୍ମୁଖରେ ଉପସ୍ଥାପନ କରିବ । କରୋନା ବ୍ୟାପିବାରେ ଚୀନ୍ ଦାୟୀ ବୋଲି ଅନେକଥର ଆମେରିକା ତରଫରୁ ଅଭିଯୋଗ ହୋଇଆସିଛି । ଚୀନ୍ କିନ୍ତୁ ଏଭଳି ଅଭିଯୋଗର ଖଣ୍ଡନ କରିଛି ।

କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଜାନୁୟାରୀ ୧୪ରେ ଡବ୍ଲୁଏଚ୍‌ଓର ଟିମ୍ ଉହାନ ଯାଇଥିଲା । ଏନେଇ ଟିମ୍ ନିଜ ରିପୋର୍ଟ ପ୍ରସ୍ତୁତ କରିସାରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚ୍‌ଓ ଟିମ୍ ନିଜ ରିପୋର୍ଟ ଉପସ୍ଥାପନ କରିବ । ଏହି ରିପୋର୍ଟରେ କରୋନାର ଉତ୍ପତ୍ତି ନେଇ ଚୀନ୍ ବିଶେଷଜ୍ଞଙ୍କ ମତାମତ ବି ରହିଛି ।

ଡବ୍ଲୁଏଚ୍‌ଓ ଟିମ୍ ଉହାନର ସେହି ସି’ଫୁଡ୍ ମାର୍କେଟ୍ ବି ଯାଇଥିଲେ, ଯେଉଁଠି ଏହି ଘାତକ ରୋଗ ପ୍ରଥମେ ବ୍ୟାପିଥିଲା ବୋଲି ସନ୍ଦେହ କରାଯାଉଛି । ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟୋରୋଲୋଜି ମଧ୍ୟ ଡବ୍ଲୁଏଚ୍‌ଓକୁ ସହାୟତା କରିଥିଲା ।

କରୋନାରେ ବିଶ୍ୱବ୍ୟାପୀ ଏଯାବତ୍ ୧୦୭ ନିୟୁତ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି ।

Comments are closed.