ଶ୍ରୀକ୍ଷେତ୍ରକୁ ଅଧିକ ସ୍ୱଚ୍ଛ ଓ ସୁନ୍ଦର କରିବା ଲାଗି ଆରମ୍ଭ ହେଲା ‘ବଡଦାଣ୍ଡ ସେବା’

ପୁରୀ – ପୁରୀ ବଡଦାଣ୍ଡକୁ ସଫାସୁତୁରା ରଖିବା ଲାଗି ଆରମ୍ଭ ହୋଇଛି ବଡଦାଣ୍ଡ ସେବା ଅଭିଯାନ । ଏହି ବ୍ୟାପକ ସଫେଇ ଅଭିଯାନରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସଂଘ, ଟ୍ରେଡ ୟୁନିୟନ ଓ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି ।

ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସନ୍ତି । ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛସୁନ୍ଦର ଓ ପବିତ୍ର ରଖିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଡଦାଣ୍ଡ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରତି ଶନିବାର ସକାଳ ସାଢେ ୬ରୁ ସାଢେ ୮ ଯାଏଁ ବଡଦାଣ୍ଡ ସେବା କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ସେବା ପାଇଁ ୬ଟି ଜୋନ କରାଯାଇଛି । ସ୍ୱେଚ୍ଛାସେବୀମାନେ ନିଜ ପସନ୍ଦର ଜୋନ ବାଛି ସଫେଇ କାମରେ ସହଯୋଗ କରିପାରିବେ । ୬ଟି ଜୋନ୍ ହେଲା – ପ୍ରଥମ ଜୋନ-ଶ୍ରୀମନ୍ଦିର କାର୍ଯ୍ୟାଳୟ , ଦ୍ୱିତୀୟ ଜୋନ୍ – ମାରିଚକୋଟ ଛକ, ତୃତୀୟ ଜୋନ-ମାର୍କେଟ ଛକ, ଚତୁର୍ଥ ଜୋନ୍‌-ମେଡିକାଲ ଛକ, ପଂଚମ ଜୋନ-ବଡଶଙ୍ଖ,ଷଷ୍ଠ ଜୋନ-ଗୁଣ୍ଡିଚା ମନ୍ଦିର ।

ବଡଦାଣ୍ଡ ସେବାରେ ବିଭିନ୍ନ ଇଭେଂଟ ଅନୁଷ୍ଠିତ ହେବ । ଚିତ୍ରକଳା ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ ,ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା ବି ଆୟୋଜନ ହେବ । ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏଥିରେ ଯୋଗ ଦେବେ ।

Comments are closed.