ନୂଆପଡାର ଚିତ୍ର ବଦଳାଇବ ଲୋୟର ଇନ୍ଦ୍ର ପ୍ରକଳ୍ପ ୩ ଦଶନ୍ଧିର ସ୍ୱପ୍ନକୁ ସାକାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡା : ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଆସିଥିବା ନୂଆପଡ଼ା ଏବେ ବିକାଶର ନୂଆ କାହାଣୀ ଲେଖିବାକୁ ଯାଉଛି । ଦିନେ ଅନାହାର ମୃତ୍ୟୁ , ପିଲାବିକ୍ରି ପାଇଁ ଅପଯଶ ପାଇଥିବା ଏହି ଜିଲ୍ଲା ଏବେ କୃଷିର ହାଣ୍ଡିଶାଳରେ ପରିଣତ ହେବାକୁ ଯାଉଛି । ୩ ଦଶନ୍ଧି ତଳୁ ଲୋକଙ୍କୁ କେବଳ ସ୍ଵପ୍ନ ଦେଖାଇ ଆସିଥିବା ବିରୋଧୀ ଦଳ ଗୁଡିକର ମୁହଁକୁ ବନ୍ଦ କରି ମୁଖ୍ୟମନ୍ତ୍ରୀ ଆଜି ସେହି ବହୁ ପ୍ରତିକ୍ଷୀତ ସ୍ୱପ୍ନକୁ ସାକାର କରିଛନ୍ତି । ଅନେକ ଆଇନଗତ ସମସ୍ୟା ମଧ୍ୟରେ ଏହି ପ୍ରକଳ୍ପ ଛନ୍ଦି ହୋଇଥିଲେ ହେଁ ବିଳମ୍ବରେ ହେଲେ ମଧ୍ୟ ଏହାକୁ ସାକାର ରୂପ ଦେବାରେ ମୁଖ୍ୟମନ୍ତ୍ରୀ ଆଜି ସଫଳ ହୋଇଛନ୍ତି ।

ନୂଆପଡା ଜିଲ୍ଲା ପାଇଁ ଆର୍ଶିବାଦ ପାଲଟିଥିବା ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରି ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ମୁହଁରେ ହସ ଫୁଟାଇପାରିଛନ୍ତି । ଏହି ପ୍ରକଳ୍ପ ଦ୍ଵାରା ପ୍ରାୟ ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଛି । ଜିଲ୍ଲାର ଦାଦନ ସମସ୍ୟାକୁ ଅନେକ ମାତ୍ରାରେ ଦୂର କରିବାରେ ଏହି ପ୍ରକଳ୍ପ ସହାୟକ ହୋଇପାରିବ । ଏହି ପ୍ରକଳ୍ପ ଦ୍ବାରା ପଶ୍ଚିମ ଓଡିଶା ପ୍ରତି ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇପାରିଛନ୍ତି । ସେହିପରି ଜିଲ୍ଲାର ୩ ଲକ୍ଷରୁ ଅଧିକ ପରିବାରକୁ ଫ୍ଲୋରାଇଡ଼ ପାଣି ସମସ୍ୟାରୁ ମୁକ୍ତ କରି ଏକପ୍ରକାର ନୂତନ ଜୀବନ ଦେବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକଙ୍କୁ ପ୍ରଶାସନର ନିକଟତର କରାଇବା ସହିତ ଅନୁନ୍ନତ ନୂଆପଡାକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୨ ଦଶନ୍ଧି ତଳେ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେଇଥିଲେ । ହେଲେ ଜିଲ୍ଲା ଗଠନର ବହୁ ଆଗରୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଦାବି ହୋଇଆସୁଥିଲା । ତେବେ , ଗତ ୨୦୦୦ ମସିହା ଜୁନ୍ ୭ ତାରିଖରେ ତତ୍କାଳୀନ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ସେହି ସମୟରେ ଏହି ପ୍ରକଳ୍ପ ପାଇଁ ୨୧୧ କୋଟି ୭୦ ଲକ୍ଷ କା ବ୍ୟୟବରାଦ କରାଯାଇଥୁଲା ।

ଖଡିଆଲ୍ ଏବଂ କୋମନା ବ୍ଲକ ମଧ୍ୟ ଭାଗରେ ରହିଛି ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୯ଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ୨୧ଟି ଗାଁ ଅଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ବିସ୍ଥାପନ ସଂଗକୁ ପରିବେଶ ମଂଜୁରି ଯୋଗୁଁ ଆଇନଗତ ସମସ୍ୟା ଉପୁଜିଥିଲା । ଆଉ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ସତ୍ବ ଅନେକ ବିଳମ୍ବ ହୋଇଥିଲା ।

ହେଲେ ଏହି ବିଳମ୍ବ ଯୋଗୁଁ ପ୍ରକଳ୍ପ ଅଟକଳ ବଢି ଚାଲିଥିଲେ ହେଁ ରାଜ୍ୟ ସରକାର ଏହାକୁ ଖାତିର କରିନଥିଲେ । ଇତିମଧ୍ୟରେ ପ୍ରକଳ୍ପ ଖର୍ଚ୍ଚ ୧୯୨୫ କୋଟି ୬୩ ଲକ୍ଷରେ ପହଂଚିସାରିଛି । ପ୍ରକଳ୍ପରେ ନୂଆପଡା ଜିଲ୍ଲାର ଲସିପାଣି , କାଲିମାଟି , ସାନବାହାଲି , ସମଲେଇପଦର , ଝାଲକୁସ , ମଠିଆପଦର , କୋଟାମାଲ ଆଦି ୯ଟି ଗାଁର ଲୋକ ଭିଟାମାଟି ଛାଡିଥିବା ବେଳେ ୨୧ଟି ଗାଁର ଲୋକ ଜମି ହରାଇ ଯେଁଉ ତ୍ୟାଗ କରିଛନ୍ତି ତାହା ଏ ମାଟିକୁ ଚିରରଣୀ କରିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଉଦଘାଟନ ବେଳେ କହିଛନ୍ତି । ଏଥିପାଇଁ ପ୍ରଭାବିତ ହୋଇଥିବା ସମସ୍ତ ୪୮୬୫ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି । ବିଶ୍ୱବ୍ୟାଙ୍କ ଅନୁଦାନରେ ହୋଇଥିବା ଏହି ପ୍ରକଳ୍ପରେ ନୂଆପଡ଼ା ଏବଂ ବିଲାଙ୍ଗିର ଜିଲ୍ଲାର ୯ ହଜାର ୯ ଶହ ହେକ୍ଟର ଜମି ଏବେ ଜଳସେଚିତ ହୋଇପାରିବ । ସେଥିରୁ ନୂଆପଡା ଜିଲ୍ଲାର ଖଡିଆଳ ଏବଂ ବୋଡେନ୍ ବ୍ଲକର ୧୦୯୦୦ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ , ବଂଗୋମୁଣ୍ଡା , ତୁରକେଲା , ମୁରିବାହାଲ ବ୍ଳକର ୧୯ ହଜାର ହେକ୍ଟର ଜମି ଚିରସବୁଜ ହେବାକୁ ଯାଉଛି । ମୋଟ୍ ଉପରେ ଏହି ପ୍ରକଳ୍ପ ଦ୍ବାରା ଚିର ମରୁଡିଗ୍ରସ୍ତ ବୋଡେନ ଏବଂ ଖଡିଆଳ ବ୍ଲକର ୨୩ ଫଚାୟତ ୭୯ ଗାଁର ୧୯୭୧୬ ପରିବାର ମୁହଁରେ ହସ ଫୁଟାଇବାରେ ସଫଳ ହୋଇଛନ୍ତି ନବୀନ ପଟ୍ଟନାୟକ ।

ଆଜି ଏହି ପ୍ରକଳ୍ପକୁ ଲୋକର୍ପିତ କରି ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲା ପ୍ରତି ବିଜୁ ବାବୁଙ୍କ ଆନ୍ତରିକତାକୁ ମନେ ପକାଇ ଭାବୁକ ହୋଇଥିଲେ । ନୂଆପଡା ଆଜି ଠାରୁ ବିକାଶର ନୂଆ ଅଧ୍ୟାୟ ଲେଖିବ ବୋଲି ସେ ପ୍ରକାଶ କରିଥିଲେ ।

Comments are closed.