କୋରୋନା କଟକଣା ମଧ୍ୟରେ ଆଜିଠାରୁ ରେଶମ ସହରରେ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା

ବ୍ରହ୍ମପୁର- ରେଶମ ସହରର ପ୍ରସିଦ୍ଧ ଐତିହାସିକ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋରୋନା କଟକଣା ମଧ୍ୟରେ ମା’ଙ୍କ ଯାତ୍ରା ଏ ବର୍ଷ ଆୟୋଜନ ହେଉଛି । ପରମ୍ପରାକ୍ରମେ ଆଜି ଠାକୁରାଣୀଙ୍କ ବାପା ଦେଶୀ ବେହେରାଙ୍କ ନିମନ୍ତ୍ରଣକୁ ସ୍ୱୀକାର କଲା ପରେ ମାଆଙ୍କୁ ରାତିରେ ମୁଖ୍ୟ ମନ୍ଦିରରୁ ପଟୁଆରରେ ଅଣାଯାଇ ବ୍ରହ୍ମପୁର ବଡବଜାର ସ୍ଥିତ ଦେଶୀବେହେରା ସାହିର ଅସ୍ଥାୟୀ ମନ୍ଦିରରେ ବିଜେ କରାଯିବ । ସେଠାରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ପରମ୍ପରା ଅନୁସାରେ ମାଆ ଦୁଇବର୍ଷକୁ ଥରେ ବାପା ( ଦେଶୀ ବେହେରା)ଙ୍କ ଘରୁ ବୁଲିଯିବା ହିଁ ଯାତ୍ରା । ବ୍ରହ୍ମପୁରର ସଂସ୍କୃତି ଓ ଇତିହାସ ସହ ଜଡିତ ଠାକୁରାଣୀ ଯାତ୍ରା ଏଥର ନିରାଡମ୍ବର ଭାବେ ହେଉଛି । କୋରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ମାଆଙ୍କ ଘଟ ଯାତ୍ରା, ରଥ ଓ କଳାକୁଞ୍ଜ ଏବଂ ମାନସିକଧାରୀଙ୍କ ବେଶ ବନ୍ଦ ରଖାଯାଇଛି । କୋରୋନା କଟକଣା ମଧ୍ୟରେ ଅସ୍ଥାୟୀ ମଣ୍ଡପରେ ଭକ୍ତମାନେ ଶୃଙ୍ଖଳିତ ଭାବେ ହିଁ ମାଆଙ୍କ ଦର୍ଶନ କରିବେ । ଅଧିକ ଭିଡ ହେଲେ ମଣ୍ଡପ ନିକଟରେ ୧୪୪ ଧାରା ଜାରି କରାଯାଇପାରିବ ବୋଲି ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଛନ୍ତି । ଯାତ୍ରା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରର ଭକ୍ତଙ୍କୁ ବ୍ରହ୍ମପୁର ନ ଆସିବାକୁ ଅନୁରୋଧ କରାଯାଇଛି । କୋରୋନା କଟକଣା ମଧ୍ୟରେ ଯାତ୍ରା ହେଉଥିବା ସତ୍ତ୍ୱେ ବ୍ରହ୍ମପୁରବାସୀ ମାଆଙ୍କ ସ୍ୱାଗତ କରିବା ଅପେକ୍ଷାରେ ଅଛନ୍ତି । ଯାତ୍ରା ୭ ଦିନ କରିବା ପାଇଁ ଅନୁମତି ଦିଆଯାଇଛି । ସ୍ଥିତିକୁ ଦେଖି ଏହାର ଅବଧି ବୃଦ୍ଧି କରାଯାଇପାରେ ।

Comments are closed.