ଓଟିଭି ବିରୋଧରେ ଆଉ ଏକ ଜମି ଜବରଦଖଲ ମାମଲା, ପଟିଆରେ ଇଡକୋ ଜମିକୁ କବ୍‌ଜା କରିଛି କଂପାନି, ମିଳିତ ଯାଂଚ ପରେ ପଦାରେ ପଡିଲା କେଳେଙ୍କାରୀ

ଭୁବନେଶ୍ୱର- ଓଟିଭି କର୍ତୃପକ୍ଷଙ୍କ ବିରୋଧରେ ଆଉ ଏକ ଜମି ହଡପ ଅଭିଯୋଗ ମାମଲା ଆସିଛି । ଖୋର୍ଧା ଜିଲ୍ଲାର ସରୁଅରେ ଜମି ଜବରଦଖଲ ଅଭିଯୋଗର କ୍ରାଇମବ୍ରାଂଚ ତଦନ୍ତ ଚାଲିଥିଲା ବେଳେ ଏବେ ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଓଟିଭି ଜମି ଜବରଦଖଲ କରିଥିବା ନେଇ ଆଉ ଏକ ଅଭିଯୋଗ ସାମନାକୁ ଆସିଛି । ଇଡ୍‌କୋ, ବିଡିଏ, ବିଏମସି ଓ ତହସିଲ ଅଫିସର ମିଳିତ ଯାଂଚ ପରେ ଜଣା ପଡିଛି ଯେ, ଓଟିଭିର ମାଲିକ ପଣ୍ଡା ପରିବାର ୧୨ ହଜାର ୯୮୦ ବର୍ଗ ଫୁଟ ସରକାରୀ ଜମି କବଜା କରିଛନ୍ତି ।

ଚନ୍ଦକା ଶିଳ୍ପାଂଚଳର ପଟିଆଠାରେ ଇଡ୍‌କୋ ପକ୍ଷରୁ ଦିଆଯାଇଥିବା ଜମିରେ ଓଟିଭି ଅଫିସ ନିର୍ମାଣ କରାଯାଇଛି । କିନ୍ତୁ ଓଟିଭି ପକ୍ଷରୁ ଅଫିସ ପାଖାପାଖି ଥିବା ସରକାରୀ ଜମି ମଧ୍ୟ କବଜା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି । ମିଳିତ ଯାଂଚ ପରେ ଓଟିଭିର ଏହି ଜମି କେଳେଙ୍କାରୀ ପଦାରେ ପଡିଛି । ଓଟିଭି ସରକାରୀ ଜମି ଜବରଦଖଲ କରିଥିବା ନେଇ କିଛି ଦିନ ପୂର୍ବେ ଇଡ୍‌କୋକୁ ଅଭିଯୋଗ ଆସିଥିଲା । ଏହାପରେ ଇଡ୍‌କୋ ପକ୍ଷରୁ ଓଟିଭି କର୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କିନ୍ତୁ ନୋଟିସକୁ ଭ୍ରୁକ୍ଷେପ କରିନଥିଲେ ଓଟିଭି କର୍ତୃୃପକ୍ଷ । ଜମି ଜବରଦଖଲ ଅଭିଯୋଗକୁ ସେମାନେ ଅସ୍ୱୀକାର କରିଥିଲେ । କିନ୍ତୁ ଓଟିଭିର ଜବାବ ସନ୍ତୋଷନକ ନୁହେଁ ବୋଲି ଇଡ୍‌କୋ ଅଧିକାରୀମାନେ କହିଛନ୍ତି । ଗତ ମଙ୍ଗଳବାର ଦିନ ଇଡକୋ, ବିଏମସି , ବିଡିଏ ଓ କଳାରାହାଙ୍ଗ ତହସିଲ ଅଧିକାରୀମାନେ ମିଳିତ ଭାବେ ଓଟିଭି ଅଫିସ ଓ ପାଖାପାଖି ଅଂଚଳର ସ୍ପଟ୍ ଭେରିଫିକେସନ କରିଥିଲେ ।

ଓଟିଭି କର୍ତୃପକ୍ଷଙ୍କ ବିରୋଧରେ ଜମି ଜବରଦଖଲ କରିଛନ୍ତି ବୋଲି ମିଳିତ ଟିମ୍ ଜାଣିବାକୁ ପାଇଛନ୍ତି । ଜବରଦଖଲ ହୋଇଥିବା ଜମି ଉପରେ ଓଟିଭି ପକ୍ଷରୁ ବେଆଇନ୍ ନିର୍ମାଣ କାମ ହୋଇଛି । ଓଟିଭିର ଟେଲିପୋର୍ଟ ଓ ଡିଜି ମେସିନ ଜବରଦଖଲ ହୋଇଥିବା ଜମି ଉପରେ ପ୍ରତିଷ୍ଠା କରାଯାଇଥିବା ଅଭିଯୋଗ ହୋଇଛି । ଆଉ ଏକ ଜମି ଜବରଦଖଲ ମାମଲା ଓଟିଭି କର୍ତୃପକ୍ଷଙ୍କୁ ଅଡୁଆରେ ପକାଇବା ନିଶ୍ଚିତ । ତେବେ ବେଆଇନ୍ ଭାବେ ଜବରଦଖଲ ହୋଇଥିବା ଜମିକୁ ଇଡକୋ ଏବେ କିପରି ଫେରିପାଇବ, ସେହି ପଦକ୍ଷେପକୁ ଅପେକ୍ଷା କରାଯାଇଛି ।

Comments are closed.