କୋରୋନା କାଳରେ ଭାରତର ପ୍ରଥମ ବଡ ନିର୍ବାଚନ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୭୧ଟି ଆସନରେ ଚାଲିଛି ମତଦାନ

ପାଟନା- କୋରୋନା କାଳରେ ଭାରତରେ ପ୍ରଥମ ବଡ ନିର୍ବାଚନ । କଡା କୋଭିଡ କଟକଣା ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ମତଦାନ ଚାଲିଛି । ୧୬ଟି ଜିଲ୍ଲାରେ ଏସବୁ ଆସନ ରହିଛି । ଏହି ପର୍ଯ୍ୟାୟରେ ୧ ହଜାର ୬୬ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ପରୀକ୍ଷା କରିବେ ଭୋଟର୍ । ୨ କୋଟି ୧୪ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।

ପ୍ରଥମ ପର୍ଯ୍ୟାୟରେ ନୀତୀଶ ସରକାରଙ୍କ ୮ ମନ୍ତ୍ରୀ ବି ମଇଦାନରେ ଅଛନ୍ତି । ନିର୍ବାଚନରେ ଏଥର ଏନଡିଏ ଓ ମହାମେଂଟ ମଧ୍ୟରେ ମୁଖ୍ୟତଃ ମୁକାବିଲା ହେଉଛି । ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢୁଛି । ଏନଡିଏ ନୀତୀଶ କୁମାରଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଛି । ଆରଜେଡି ନେତୃତ୍ୱରେ ନିର୍ବାଚନ ଲଢୁଥିବା ମହାମେଂଟର ମଙ୍ଗ ସମ୍ଭାଳିଛନ୍ତି ଲାଲୁଙ୍କ ପୁ୍‌ଅ ତେଜସ୍ୱୀ ଯାଦବ । ବିହାର ବିଧାନସଭା ନିର୍ବାଚନ ପାଇଁ ଏଥର ତିନିଟି ପର୍ଯ୍ୟାୟରେ ମତଦାନ ହେଉଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ନଭେମ୍ବର ୩ ଓ ୭ ତାରିଖରେ ହେବ । ନଭେମ୍ବର ୧୦ ତାରିଖରେ ହେବ ଭୋଟ୍ ଗଣତି ।

Comments are closed.