ଆମେରିକା ଉପରାଷ୍ଟ୍ରପତି ନିର୍ବାଚିତ ହୋଇ ଇତିହାସ ରଚିଲେ କମଲା ହ୍ୟାରିସ, ଦିନେ ଥିଲେ ବିଡେନଙ୍କ ପ୍ରତିଦ୍ୱନ୍ଦୀ ଓ କଡା ସମାଲୋଚକ

ୱାଂସିଟନ- ଜୋ ବିଡେନ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେଲା ପରେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କରିଛନ୍ତି କମଲା ହ୍ୟାରିସ । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି ହ୍ୟାରିସ । ଏହାଛଡା ସେ ପ୍ରଥମ କୃଷ୍ଣକାୟ ଓ ଏସୀୟ ଆମେରିକୀୟ ଭାବେ ଆମେରିକାର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।

କମଲା ହ୍ୟାରିସ ମଧ୍ୟ ଭାରତୀୟ ବଂଶୋଦ୍ଭବ । କମଲା ହ୍ୟାରିସଙ୍କ ଜନ୍ମ କାଲିଫର୍ଣ୍ଣିଆର ଓକଲାଣ୍ଡରେ ହୋଇଥିଲା । ତାଙ୍କ ମାଆ ଭାରତରେ ଓ ବାପା ଜାମାଇକାରେ ଜନ୍ମ ହୋଇଥିଲେ । ତାଙ୍କୁ ୫ ବର୍ଷ ବୟସ ହୋଇଥିଲା ବେଳେ ହ୍ୟାରିସଙ୍କ ମାଆ ବାପାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ତେଣୁ ସେ ମାଆ ଶ୍ୟାମଲା ଗୋପାଲନ ହ୍ୟାରିସଙ୍କ ଦ୍ୱାରା ହିଁ ଲାଳିତ ପାଳିତ ହୋଇଥିଲେ । ମାଆ ଶ୍ୟାମଲା ଥିଲେ ଭାରତର ମୂଳ ବାସିନ୍ଦା । ସେ ଥିଲେ ଜଣେ କର୍କଟ ରୋଗ ଗବେଷକ ଓ ନାଗରିକ ଅଧିକାରୀ କର୍ମୀ । ପିଲାବେଳେ ସେ ମାଆଙ୍କ ସହ ଅନେକ ଥର ଭାରତକୁ ଆସିଥିଲେ କମଲା । ତେଣୁ ଭାରତୀୟ ସଂସ୍କୃତି ସହ ସେ ବଢିଥିଲେ । କିନ୍ତୁ କମଲା କହନ୍ତି ଯେ, ଆମେରିକାରେ ତାଙ୍କ ମାଆ କୃଷ୍ଣକାୟ ସଂସ୍କୃତିକୁ ମଧ୍ୟ ଗ୍ରହଣ କରିଥିଲେ । ତେଣୁ କମଲା ହ୍ୟାରିସ ଜଣେ ବହୁବର୍ଣ୍ଣ ମହିଳା ଭାବେ ବେଶ୍ ଗର୍ବ ଅନୁଭବ କରନ୍ତି । ହଁ, ଏଥିପାଇଁ ତାଙ୍କୁ ରାଜନୀତିରେ ବର୍ଣ୍ଣବୈଷମ୍ୟର ବି ସମ୍ମୁଖୀନ ହେବାକୁ ପଡିଛି ।

ମା ଓ ଭଉଣୀଙ୍କ ସହ କମଲା ହ୍ୟାରିସ

କମଲା ହ୍ୟାରିସ ଆଲାମେଡା କାଉଂଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣିଂଙ୍କ ଅଫିସରେ କାମ କରି ୨୦୦୩ରେ ସାନଫ୍ରାନସିସ୍କୋର ପ୍ରସିକ୍ୟୁଟର ହୋଇଥିଲେ । ପରେ ସେ କାଲିଫର୍ନିଆର ପ୍ରଥମ ମହିଳା ଓ କୃଷ୍ଣକାୟ ବ୍ୟକ୍ତି ଭାବେ ଆଟର୍ନି ଜେନେରାଲ ହୋଇଥିଲେ । ୨୦୧୭ରେ କମଲା ହ୍ୟାରିସ ଡେମୋକ୍ରାଟିକ ପାର୍ଟି ପକ୍ଷରୁ କାଲିଫର୍ନିଆରେ କନିଷ୍ଠ ସିନେଟର ଭାବେ କଂଗ୍ରେସକୁ ନିର୍ବାଚିତ ହୋଇଥିଲେ । ସିନେଟ ହେଉଛି ଆମେରିକା ପାର୍ଲାମେଂଟ୍ ( କଂଗ୍ରେସ )ର ଉପର ସଦନ ।

ଜୋ ବିଡେନଙ୍କ ପ୍ରତିଦ୍ୱନ୍ଦୀ ଭାବେ କମଲା ହ୍ୟାରିସ ଡେମୋକ୍ରାଟିକ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନୋମିନେସନ ପାଇବାକୁ ଉଦ୍ୟମ କରିଥିଲେ । ଏପରିକି ବର୍ଣ୍ଣବୈଷମ୍ୟ ସଂପର୍କିତ ଏକ ବିତର୍କରେ ସେ ବିଡେନଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଥିଲେ ହ୍ୟାରିସ । କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ଉଦ୍ୟମକୁ ସମର୍ଥନ ମିଳି ନ ଥିଲା । କିନ୍ତୁ ଜୋ ବିଡେନ୍ ହିଁ କମଲା ହ୍ୟାରିସଙ୍କୁ ଉପରାଷ୍ଟ୍ରପତି କରିବାକୁ ନିଷ୍ପତି ନେଇଥିଲେ । ଦିନେ ବିଡେନଙ୍କ ପ୍ରତିଦ୍ୱନ୍ଦୀ ଓ ସମାଲୋଚକ ଥିବା କମଲା ହ୍ୟାରିସ ଏବେ ଉପରାଷ୍ଟ୍ରପତି ।

Comments are closed.