କୋହଲିଙ୍କୁ ସେହେୱାଗଙ୍କ ସମର୍ଥନ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରୁ ପୁଣି ଖାଲି ହାତରେ ବିଦାୟ ନେବା ପରେ ଦଳର ଅଧିନାୟକ ବିରାଟ କୋହଲି ଚାରିଆଡୁ ସମାଲୋଚିତ ହୋଇଥିଲେ । ଏପରିକି ପୂର୍ବତନ ଓପନର ଗୌତମ ଗମ୍ଭୀର କୋହଲିଙ୍କୁ କଡ଼ା ସମାଲୋଚନା କରିବା ସହ ଆରସିବି ଅଧିନାୟକ ପଦରୁ ତାଙ୍କୁ ହଟାଇବା ଉଚିତ ବୋଲି କହିଥିଲେ । କୋହଲି ୮ ବର୍ଷ ଧରି ଆରସିବିର ଅଧିନାୟକ ପଦରେ ରହିଥିଲେ ହେଁ ଦଳକୁ ଥରୁଟିଏ ବି ଟାଇଟଲ ଜିତାଇ ପାରିନାହାନ୍ତି । ଏଭଳି ବିଫଳତା ପାଇଁ କୋହଲିଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ବୋଲି ଗମ୍ଭୀର କହିଥିଲେ ।

ତେବେ ଏହି ପ୍ରସଙ୍ଗରେ ଗମ୍ଭୀରଙ୍କ ସହ ତାଙ୍କ ପୂର୍ବତନ ସାଥୀଖେଳାଳି ବୀରେନ୍ଦ୍ର ସେହେୱାଗ ଏକମତ ନୁହଁନ୍ତି । କୋହଲିଙ୍କୁ ସମର୍ଥନ ଜଣାଇ ସେହେୱାଗ କହିଛନ୍ତି ଯେ, ଆରସିବି ମ୍ୟାନେଜମେଣ୍ଟ କୋହଲିଙ୍କୁ ଅଧିନାୟକ ଭାବେ ବଜାୟ ରଖି ଦଳର ପ୍ରଦର୍ଶନରେ କିଭଳି ଉନ୍ନତି ଘଟିବ ସେ ଉପରେ ଧ୍ୟାନ ଦେବା ଦରକାର । ଦଳର ବିଫଳତା ପାଇଁ କେବଳ ଅଧିନାୟକଙ୍କୁ ଦାୟୀ କରିବା ଠିକ ନୁହେଁ । କୋହଲି ଭାରତୀୟ ଦଳର ଅଧିନାୟକ ଭାବେ ସବୁ ଫର୍ମାଟରେ ଦଳକୁ ଜିତାଇଛନ୍ତି । କିନ୍ତୁ ଆରସିବିର ନେତୃତ୍ୱ ନେଲାବେଳେ ସେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି ।

ଜଣେ ଅଧିନାୟକଙ୍କୁ ଏକ ଭଲ ଦଳ ମିଳିବା ଉଚିତ । ତେଣୁ ଅଧିନାୟକଙ୍କୁ ବଦଳାଇବା ପରିବର୍ତ୍ତେ ଦଳର କିଭଳି ଉନ୍ନତି କରିହେବ ତାହା ଆରସିବି ମ୍ୟାନେଜମେଣ୍ଟ ବିଚାର କରିବା ଆବଶ୍ୟକ । କେଉଁ ଖେଳାଳିଙ୍କୁ ସାମିଲ କରାଗଲେ ଦଳର ପ୍ରଦର୍ଶନ ସୁଧୁରିବ ସେନେଇ ଆରସିବିକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ସେହେୱାଗ କହିଛନ୍ତି ।

ଗତ ଶୁକ୍ରବାର ଅନୁଷ୍ଠିିତ ଏଲିମିନେଟର ମ୍ୟାଚରେ ଆରସିବି ୬ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା ।

Comments are closed.