ଭାରତରେ କମୁଛି ସଂକ୍ରମଣ, ୨୭ ଦିନ ପରେ ଦୈନିକ ମାମଲା ୩ ଲକ୍ଷରୁ କମ୍‌, ଆଉ ୪୧୦୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୮୧,୩୮୬ ନୂଆ ମାମଲା ରେକର୍ଡ କରାଯାଇଛି । ୨୭ ଦିନ ପରେ ଭାରତରେ ଦୈନିକ କରୋନା ମାମଲା ତିନି ଲକ୍ଷ ତଳକୁ ଖସିଛି । ଶେଷଥର ଏପ୍ରିଲ ୨୧ରେ ଦୈନିକ ସଂକ୍ରମଣ ତିନି ଲକ୍ଷରୁ କମ୍ ଥିଲା । ପୁଣିଥରେ ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିଛି । ଦିନକରେ ଏହି ରୋଗରୁ ପୁଣି ୩ ଲକ୍ଷ ୭୮ ହଜାର ୭୪୧ ଲୋକ ସୁସ୍ଥ ହୋଇଛନ୍ତି ।

ସଂକ୍ରମଣ ଖସୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ବଢ଼ି ଚାଲିଛି । ଦିନକରେ ଏହି ଘାତକ ରୋଗରେ ଆଉ ୪୧୦୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପ୍ରିଲ ୨୮ ପରଠୁ ଦୈନିକ ମୃତ୍ୟୁସଂଖ୍ୟା ୩୦୦୦ରୁ ଊର୍ଦ୍ଧ୍ୱ ରେକର୍ଡ କରାଯାଉଛି ।

ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, କେରଳ ଏବଂ ଆନ୍ଧ୍ର ପ୍ରଦେଶରେ ଏବେ ବି ସର୍ବାଧିକ କୋଭିଡ୍ ମାମଲା ସାମ୍ନାକୁ ଆସୁଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩୪,୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୩୩,୧୮୧, କର୍ଣ୍ଣାଟକରେ ୩୧,୫୩୧, କେରଳରେ ୨୯,୭୦୪ ଏବଂ ଆନ୍ଧ୍ର ପ୍ରଦେଶରେ ୨୪,୧୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୯ ହଜାର ୬୫ ହଜାର ୪୬୩ରେ ପହଞ୍ଚିଛି । କୋଭିଡ୍‌ରେ ଏଯାବତ୍ ୨ ଲକ୍ଷ ୭୪ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୧୧ ଲକ୍ଷ ୭୪ ହଜାର ୭୬ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟୁଛି । ଦେଶରେ ଏବେ ୩୫ ଲକ୍ଷ ୧୬ ହଜାର ୯୯୭ ସକ୍ରିୟ ମାମଲା ରହିଛି ।

Comments are closed.