ପୁଣି ବଦଳିଲା ଟିକାକରଣ ଗାଇଡ୍ ଲାଇନ୍‌, କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ତିନି ମାସ ପରେ ନେବେ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ନେଇ ଗାଇଡ୍ ଲାଇନ୍‌ରେ ପୁଣି ପରବର୍ତ୍ତନ କରାଯାଇଛି । ଏଣିକି କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ତିନି ମାସ ପରେ ଟିକା ନେବେ । ଏନେଇ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭାକ୍ସିନ ଆଡମିନିଷ୍ଟ୍ରେସନ୍ (ଏନ୍‌ଇଜିଭିଏଏସ୍‌) କରିଥିବା ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।
ଯେଉଁ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଦ୍ୱିତୀୟ ଡୋଜ୍ ନେବାକୁ ତିନି ମାସ ଅପେକ୍ଷା କରିବାକୁ ପଡିବ । ଯେଉଁ ଅଣ କୋଭିଡ୍ ରୋଗୀମାନେ ଆଇସିୟୁରେ ଚିକିତ୍ସିତ ହୋଇଥିଲେ, ସେମାନେ ସୁସ୍ଥ ହେବାର ୪-୮ ସପ୍ତାହ ପରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

ସାମ୍ପ୍ରତିକ କୋଭିଡ୍ ସ୍ଥିତିରେ ବିଜ୍ଞାନ ଭିତ୍ତିକ ପ୍ରମାଣ ଓ ଅନୁଭୂତି ଆଧାରରେ ଟିକାକରଣ ପାଇଁ ଏହି ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ବିଶେଷଜ୍ଞ ପ୍ୟାନେଲ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ବି ଟିକାକରଣ କରିବାକୁ ସୁପାରିସ କରିଛି । ତେବେ ଗର୍ଭବତୀ ମହିଳାଙ୍କୁ ଟିକା ଦେବା ସୁରକ୍ଷିତ କି ନୁହେଁ ତାହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞ ପ୍ୟାନେଲ କହିଛି ।

ଟିକାକରଣ ପୂର୍ବରୁ କୌଣସି ବ୍ୟକ୍ତିଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ କୁହାଯାଇଛି ।
ନିକଟରେ ବିଶେଷଜ୍ଞ ପ୍ୟାନେଲ ‘କୋଭିଶିଲ୍ଡ’ ଟିକାର ଦ୍ୱିତୀୟ ଡୋଜ୍ ବ୍ୟବଧାନ ମଧ୍ୟ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ ସୁପାରିସ କରିଥିଲା । ଦେଶରେ ଟିକା ଅଭାବ ଦେଖାଦେଇଥିବା ବେଳେ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଥିଲେ । ଏହା ପୂର୍ବରୁ କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ଥିଲା ।

Comments are closed.