ସ୍ୱାଭିମାନ ଅଂଚଳ ବାସିନ୍ଦାଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ, କହିଲେ, ସାମଗ୍ରିକ ବିକାଶକୁ ଦିଆଯାଉଛି ପ୍ରାଧାନ୍ୟ, ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ୱର-ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଚ୍‌ୁର୍ଆଲ କଥାବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ପରେ ଏହା ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସ୍ୱାଭିମାନ ଅଂଚଳରେ ଜୀବିକା, ସ୍ୱାସ୍ଥ୍ୟସେବା,ଯୋଗାଯୋଗ, ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଇଥିବା ନବୀନ କହିଛନ୍ତି ।

ସ୍ୱାଭିମାନ ଅଂଚଳରେ ଭଲ ହଳଦୀ ଚାଷ ହୁଏ । ଅଧିକ ହଳଦୀ ଚାଷ, ପ୍ରୋସେସିଂ ଓ ବ୍ରାଣ୍ଡିଂ ପାଇଁ ପଦ କ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁଳି ପାଇଁ ୩୩ କେଭି କାମ ଖୁବଶୀଘ୍ର ଶେଷ ହେବ । ୭୮ କିଲୋମିଟର ରାସ୍ତା, ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି । ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ମେଗା ପାଇପ କାମ, ୨୫୦ଟି ଟ୍ୟୁବୱେଲ କାମ ଚାଲିଛି । ୪୧୯ଟି କ୍ଲଷ୍ଟର ଡିପ୍ ବୋରୱେଲ କରାଯିବ । ଏହା ଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ।

ସ୍ୱାଭିମାନ ଅଂଚଳରେ ୮୨ଟି ଅଂଗନବାଡି କାମ ଚାଲିଛି ବୋଲି ନବୀନ କହିଛନ୍ତି । କଥାବାର୍ତା ବେଳେ ନବୀନ ଆହୁରି ବି କହିଛନ୍ତି ଯେ, ସଂପୃକ୍ତ ଅଂଚଳରେ ୪ଟି ମୋବାଇଲ ଟାୱାର ହୋଇଛି । ଏବେ ଆଉ ୩ଟି ଟାୱାର କରାଯିବ । ସ୍ୱାଭିମାନ ଅଂଚଳର ସବୁ ପରିବାରଙ୍କୁ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଓବାଦୀଙ୍କୁ ଅସ୍ତ୍ର ଛାଡି ମୁଖ୍ୟଧାରାରେ ସାମିଲ ହେବାକୁ ନବୀନ ଅନୁରୋଧ କରିଛନ୍ତି । ସ୍ୱାଭିମାନ ଅଂଚଳ ତାଙ୍କ ହୃଦୟରେ ରହିଛି ବୋଲି ନବୀନ କହିଛନ୍ତି ।

Comments are closed.