ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ : ‘ପୁରୀ କେଉଁଠି ଅଛି ଭାରତର ଲୋକେ ଜାଣି ନ ଥିଲେ’, ଅପମାନଜନକ ମନ୍ତବ୍ୟ ପାଇଁ ରାଜ୍ୟ ବିଜେପି ନେତ୍ରୀଙ୍କୁ କଡା ସମାଲୋଚନା କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ପୁରୀ – ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟ । ଶ୍ରୀକ୍ଷେତ୍ର ପୁରୀ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛନ୍ତି ଲେଖାଶ୍ରୀ । ପୁରୀ କେଉଁଠି ଅଛି, ତାହା ଭାରତର ଲୋକେ ଜାଣି ନ ଥିଲେ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଗତବର୍ଷ ଏଠାରୁ ଲୋକସଭା ନିର୍ବାଚନ ଲଢିଲା ପରେ ହିଁ ପୁରୀ ଓଡିଶାରେ ରହିଥିବା ଲୋକେ ଜାଣିଲେ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲେଖାଶ୍ରୀ । ରାଜ୍ୟ ବିଜେପି ନେତ୍ରୀଙ୍କ ଏହି ବିବାଦୀୟ ବୟାନ ସଂପର୍କିତ ଭିଡିଓ ଭାଇରାଲ ହେଲା ପରେ ତାଙ୍କୁ ଚାରିଆଡୁ କଡା ସମାଲୋଚନା ହେଉଛି ।

ଓଡିଶା ବାସିନ୍ଦା ହୋଇ ଲେଖାଶ୍ରୀ ଜଗନ୍ନାଥଙ୍କ ନାଁରେ ପବ୍ଲିସିିଟି ପାଇବା ପାଇଁ ବିବାଦୀୟ ମନ୍ତବ୍ୟ ଦେବା ଉଚିତ ନ ଥିଲା ବୋଲି ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି । ଲେଖାଶ୍ରୀଙ୍କ ମନ୍ତବ୍ୟ ଓଡିଶା ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି ଅମର କହିଛନ୍ତି । ଲେଖାଶ୍ରୀଙ୍କ ମନ୍ତବ୍ୟରୁ ପୁରୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଅଜ୍ଞାନତା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଅମର କହିଛନ୍ତି । ନିଜର ସହଯୋଗୀଙ୍କ ପ୍ରଶଂସା ପାଇବା ପାଇଁ ପୁରୀ ପ୍ରତି ଲେଖାଶ୍ରୀ ଏଭଳି ଅପମାନଜନକ ମନ୍ତବ୍ୟ ଦେଇଥିବା ଅମର ଟ୍ୱିଟ୍ କରିଛନ୍ତି ।

Comments are closed.