କରୋନା ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ, ଭାରତରେ ଠାବ ଷ୍ଟ୍ରେନ୍ ‘ଡେଲ୍‌ଟା’ଓ ‘କପ୍ପା’ ଭାବେ ଜଣାଯିବ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଚିହ୍ନଟ କୋଭିଡ୍‌-୧୯ ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) । ଭାରତରେ ପ୍ରଥମେ ଠାବ ହୋଇଥିବା କରୋନା ଭାରିଆଣ୍ଟ୍ ବି.୧.୬୧୭.୧କୁ ଏବେ ‘କପ୍ପା’ ଏବଂ ବି.୧.୬୧୭.୨କୁ ‘ଡେଲ୍‌ଟା’ କୁହାଯିବ ।

ସେହିପରି ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସମେତ ଅନ୍ୟ ଦେଶରେ ଠାବ କରୋନାର ବିଭିନ୍ନ ଷ୍ଟ୍ରେନ୍ ଗୁଡିକର ମଧ୍ୟ ନାମ ରଖାଯାଇଛି । ଷ୍ଟ୍ରେନ୍ ଗୁଡିକର ନାମକରଣ ଗ୍ରୀକ୍ ଶବ୍ଦ ଅନୁସାରେ କରାଯାଇଛି ।

ବ୍ରିଟେନର ମିଳିଥିବା ଭାରିଆଣ୍ଟ୍‌ର ନାମ ‘ଆଲ୍‌ଫା’ ରଖାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଏଣିକି ‘ବିଟା’ ଭାବେ ଜଣାଯିବ ।
କୋଭିଡ୍‌-୧୯ର କୌଣସି ଭାରିଏଣ୍ଟ୍ ସହ ସମ୍ପୃକ୍ତ ଦେଶର ନାମକୁ ନ ଯୋଡିବା ପାଇଁ ଷ୍ଟ୍ରେନ୍ ଗୁଡିକର ଏଭଳି ନାମକରଣ କରାଯାଇଛି ବୋଲି ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି । ଏଭଳି ନାମକରଣ ଦ୍ୱାରା କରୋନା ଷ୍ଟ୍ରେନ୍ ଗୁଡିକ ଉପରେ ଆଲୋଚନା ସହଜ ହୋଇପାରିବ ଓ ଲୋକେ ମଧ୍ୟ ସମ୍ପୃକ୍ତ କୋଭିଡ୍‌-୧୯ ଷ୍ଟ୍ରେନ୍‌କୁ ସହଜରେ ଜାଣିପାରିବେ ବୋଲି ଡବ୍ଲୁଏଚ୍‌ଓ କହିଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଭାରତରେ ଠାବ ବି.୧.୬୧୭.୨କୁ ଷ୍ଟ୍ରେନ୍‌କୁ ‘ଭାରତୀୟ ଭାରିଏଣ୍ଟ୍‌’ ବୋଲି କୁହାଯିବା ପରେ ଭାରତ ସରକାର ଆପତ୍ତି ଉଠାଇଥିଲେ ।

Comments are closed.