ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ତେଜିଛି । ବାରମ୍ବାର ଚେତାବନୀ ସତ୍ତ୍ୱେ ଆଇଟି ନିୟମ ଅନୁପାଳନ କରିନଥିବାରୁ ଟ୍ୱିଟରକୁ ମିଳିଥିବା ଆଇନଗତ ସୁରକ୍ଷାକୁ ସରକାର ହଟାଇ ଦେଇଛନ୍ତି । ଆଇନଗତ ସୁରକ୍ଷା ହରାଇବା ପରେ ଲୋକଙ୍କ ଦ୍ୱାରା କୌଣସି ଉତ୍ତେଜନା ମୂଳକ, ବିଭ୍ରାନ୍ତିକର ପୋଷ୍ଟ ପାଇଁ ଏବେ ଟ୍ୱିଟର ଓ ଏହାର ଅଧିକାରୀମାନେ ଦାୟୀ ରହିବେ । ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ବିରୋଧରେ ଏବେ ଭାରତୀୟ ଆଇପିସି ଅନୁସାରେ ମାମଲା ରୁଜୁ କରାଯାଇ ପାରିବ । ପୋଲିସ୍ ମଧ୍ୟ କୌଣସି ମାମଲାରେ ଏବେ ଟ୍ୱିଟର ଅଧିକାରୀଙ୍କୁ ଜେରା କରିପାରିବ ।

ଧାରା ୭୯ ଅଧୀନରେ ଭାରତରେ କାରବାର କରୁଥିବା ସବୁ ସୋସିଆଲ ପ୍ଲାଟ୍‌ଫର୍ମକୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଥାଏ । ଏଭଳି ସୁରକ୍ଷା ଟ୍ୱିଟରକୁ ମଧ୍ୟ ମିଳିଥିଲା । ଏଭଳି ସୁରକ୍ଷାର ଅର୍ଥ କୌଣସି ଆପରାଧିକ କାର୍ଯ୍ୟକଳାପ ସମ୍ବନ୍ଧୀୟ ପୋଷ୍ଟ କରାଗଲେ ମଧ୍ୟ ସୋସିଆଲ ମିଡିଆ କମ୍ପାନୀ ଦାୟୀ ହେବେ ନାହିଁ କିମ୍ବା ଏପରି କୌଣସି ମାମଲାରେ ସେମାନଙ୍କୁ ପକ୍ଷଭୁକ୍ତ କରାଯାଇ ପାରିବ ନାହିଁ ।

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ମେ ୨୫ରୁ ଲାଗୁ ହୋଇଥିଲା । ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ୱାଟ୍‌ସଆପ୍ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ନୂଆ ଆଇଟି ନିୟମ ପାଳନ କରିବାକୁ ରାଜି ହୋଇଥିଲେ । ତେବେ ଟ୍ୱିଟର ଏହି ନିୟମ ବିରୋଧ କରିଥିଲା । ସରକାର ବାରମ୍ବାର ନୋଟିସ୍ ପଠାଇବା ସତ୍ତ୍ୱେ ଟ୍ୱିଟର କୌଣସି ଜବାବ ଦେଇନଥିଲା ।

ନୂଆ ଆଇଟିି ନିୟମ ଅନୁସାରେ ଭାରତରେ କାରବାର କରୁଥିବା ସବୁ ସୋସିଆଲ ମିଡିଆ କମ୍ପାନୀଙ୍କୁ ମାସକ ମଧ୍ୟରେ ମୁଖ୍ୟ ଅନୁପାଳନ ଅଧିକାରୀ (ସିସିଓ) ନିଯୁକ୍ତ କରିବେ । ସିସିଓ ୟୁଜର୍ସ ମାନଙ୍କ ଅଭିଯୋଗର ସମାଧାନ କରିବେ ।

Comments are closed.