କୋଭିଡ୍ ମୃତକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରସଙ୍ଗ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି । ଏହି ମାମଲାରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏମଆର ଶାହାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି ।

କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ସମ୍ପର୍କରେ କଣ ଯୋଜନା ରହିଛି ସେ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ସବୁ ପକ୍ଷଙ୍କୁ ତିନି ଦିନ ସମୟ ଦେଇଛନ୍ତି । ଏହାଛଡ଼ା କୋଭିଡ୍‌ରେ ପ୍ରାଣ ହରାଇଥିବା ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବାର ପ୍ରକ୍ରିୟା ସହଜ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସବୁ କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା ସମ୍ଭବ ନୁହେଁ ବୋଲି ପୂର୍ବରୁ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇ ସାରିଛି । କୋଭିଡ୍‌-୧୯ ବିରୋଧରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ସ୍ୱାସ୍ଥ୍ୟସେବା ଉପରେ ବର୍ଦ୍ଧିତ ଖର୍ଚ୍ଚ ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି । ଏଭଳି ସ୍ଥିତିରେ ସବୁ କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇ ପାରିବ ନାହିଁ ବୋଲି ଏକ ସତ୍ୟପାଠ ଜରିଆରେ କହିଥିଲା କେନ୍ଦ୍ର ।

Comments are closed.