ଆମେରିକୀୟ ସଂସ୍ଥାର ଅଧ୍ୟୟନରେ ଦାବି, ଡେଲ୍‌ଟା ଭାରିଆଣ୍ଟ୍ ଉପରେ କୋଭାକ୍ସିନ ପ୍ରଭାବୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ଭାରିଆଣ୍ଟ୍ ଉପରେ ଭାରତୀୟ ଟିକା ‘କୋଭାକ୍ସିନ୍‌’ ବେଶ୍ ପ୍ରଭାବୀ ସାବ୍ୟସ୍ତ ହେଉଛି । ଭାରତରେ ଦ୍ୱିତୀୟ ଲହରୀ ପାଇଁ ଦାୟୀ କୁହାଯାଉଥିବା ଏହି ଭାରିଆଣ୍ଟ୍ କୁ ରୋକିବାରେ କୋଭାକ୍ସିନ୍ ଟିକା ସମର୍ଥ ବୋଲି ଆମେରିକାର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସଂସ୍ଥା ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ (ଏନ୍‌ଆଇଏଚ୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ।

କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କ ବ୍ଲଡ୍ ସେରମ୍‌କୁ ନେଇ ଏନ୍‌ଆଇଏଚ୍ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଆଲ୍‌ଫା ଏବଂ ଡେଲ୍‌ଟା ଭାରିଆଣ୍ଟ୍‌କୁ ଲଢ଼ିବା ପାଇଁ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରିବାରେ ସଫଳ ହେଉଛି କୋଭାକ୍ସିନ୍ ଟିକା । ଉଲ୍ଲେଖଯୋଗ୍ୟ ଯେ, ଡେଲ୍‌ଟା ଭାରିଆଣ୍ଟ୍ ଯୋଗୁଁ ଭାରତରେ ଦ୍ୱିତୀୟ ଲହରୀର ବିଭୀଷିକା ସୃଷ୍ଟି ହୋଇଥିଲା ।

ଏନ୍‌ଆଇଏଚ୍ ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନର ଫେଜ୍‌-୩ ଟ୍ରାଏଲ୍ ଫଳାଫଳରୁ ଏହି ଟିକା ବେଶ୍ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି । ଲକ୍ଷଣଯୁକ୍ତ ସଂକ୍ରମଣ ବିରୋଧରେ କୋଭାକ୍ସିନ ୭୮% ଏବଂ ଗମ୍ଭୀର ସଂକ୍ରମଣ ମାମଲାରେ ଏହି ଭାରତୀୟ ଟିକା ଶତ ପ୍ରତିଶତ ପ୍ରଭାବୀ । ଲକ୍ଷଣ ବିହୀନ ସଂକ୍ରମଣ ବିରୋଧରେ ମଧ୍ୟ କୋଭାକ୍ସିନ ୭୦% ଫଳପ୍ରଦ ବୋଲି କୋଭାକ୍ସିନର ଫେଜ୍‌-୩ ଟ୍ରାଏଲର ଅନ୍ତରୀଣ ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ଏନ୍‌ଆଇଏଚ୍ କହିଛି ।

 

Comments are closed.