ରୁଷୀୟ ସଂସଦର ନିଷ୍ପତ୍ତି: ପୁଟିନଙ୍କ ବିରୋଧରେ ଆଜୀବନ ହେବନି କୌଣସି ମାମଲା

ମସ୍କୋ – ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ଷମତାରୁ ହଟିଲେ ବି ତାଙ୍କ ବିରୋଧରେ ଆଜୀବନ କୌଣସି ଆପରାଧିକ ମାମଲା ଚାଲିବନି । ରୁଷ ସଂସଦର ତଳଗୃହ ଡୁମାରେ ଏନେଇ ଏକ ବିଲ୍ ପାରିତ ହୋଇଛି । କେବଳ ପୁଟିନ ନୁହନ୍ତି, ତାଙ୍କର କୌଣସି ପରିବାର ସଦସ୍ୟଙ୍କ ବିରୋଧରେ ବି ଆଜୀବନ କୌଣସି ମକଦ୍ଦମା ରୁଜୁ କରାଯାଇ ପାରିବନି । ଏହି ପ୍ରସଙ୍ଗରେ ଜୁଲାଇରେ ଜନମତ ସଂଗ୍ରହ କରାଯାଇଥିଲା । ସଂଖ୍ୟାଧିକ ଲୋକ ଏଭଳି ବ୍ୟବସ୍ଥାରେ ସପକ୍ଷରେ ଥିବା କୁହାଯାଇଥିଲା । ପରେ ରୁଷ ସମ୍ବିଧାନରେ ସଂଶୋଧନ କରାଯାଇ ଏ ସମ୍ପର୍କିତ ବିଲ୍ କୁ ସଂସଦରେ ଉପସ୍ଥାପନ କରାଯାଇଥିଲା । ରୁଷ ସଂସଦର ଉଭୟ ଗୃହରେ ପୁଟିନ ଗୋଷ୍ଠୀର ପୂର୍ଣ୍ଣ ବହୁମତ ଥିବାରୁ ଏହି ବିଲକୁ ପାରିତ କରିବାରେ କୌଣସି ଅସୁବିଧା ହୋଇନଥିଲା ।

ରାଷ୍ଟ୍ରପତି ଭାବେ ପୁଟିନଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି । ତେବେ ୨୦୨୪ ପରେ ବି ସଂଶୋଧିତ ବ୍ୟବସ୍ଥା ଅନୁସାରେ ସେ ଆଉ ୧୨ ବର୍ଷ ରାଷ୍ଟ୍ରପତି ପଦ ବଜାୟ ରଖିବେ । ପୁଟିନଙ୍କୁ ସୁହାଇବା ଭଳି ବିଲ୍ ସଂସଦରେ ପାରିତ ହେବା ପରେ ଏବେ ପୁଣି ତାଙ୍କ ରାଜନୈତିକ ଭବଷ୍ୟତ ନେଇ ଚର୍ଚ୍ଚା ଜୋର୍ ଧରିଛି । ପୁଟିନ୍ ୨୦୦୦ରୁ କ୍ଷମତାରେ ରହି ଆସିଛନ୍ତି । ଏହି ସମୟ ମଧ୍ୟରେ ସେ ତାଙ୍କ କ୍ଷମତାର ଭରପୂର ଉପଯୋଗ କରି ନିଜ ବିରୋଧୀଙ୍କୁ ଟାର୍ଗେଟ୍ କରିଥିବା ବହୁଥର ଅଭିଯୋଗ ହୋଇଛି । ନିଜ ଓ ନିଜ ପରିବାର ଲୋକଙ୍କୁ ଘଣ୍ଟ ଘୋଡାଇବା ପାଇଁ ସେ ଆଣିଥିବା ବିଲ୍ କୁ ତାଙ୍କ ବିରୋଧୀ ଓ ରାଜନୀତିକ ସମୀକ୍ଷକ ମାନେ ସମାଲୋଚନା କରିଛନ୍ତି ।

Comments are closed.