ଭୂମିହୀନ ଚାଷୀଙ୍କ ଖୁସି-ନିର୍ମାତା – ନବୀନ

ଦୁନିଆ, ଦେଶ, ପ୍ରଦେଶ ସମକ୍ଷରେ ଆଜି ମହାମାରୀର ବିପତ୍ତି। କରୋନା କାରଣରୁ ପ୍ରତ୍ୟେକ ପରିସରରେ – ଆମ ଦେଶ କୁହନ୍ତୁ ଅବା ଆମ ରାଜ୍ୟ – ଊଣା ଅଧିକେ ସମସ୍ତଙ୍କ ରୋଜଗାର ତଥା ଆୟର ପନ୍ଥା ପ୍ରଭାବିତ ହୋଇଛି। ଆମ ରାଜ୍ୟ ପ୍ରସଙ୍ଗରେ କହିଲେ ସବୁଠୁ କଠିନ ସଙ୍କଟ ଭୋଗିଥିଲେ ରାଜ୍ୟର ପ୍ରାୟ ୧୮ ଲକ୍ଷ ଭୂମିହୀନ କୃଷକ। ନିଜର ଜମି ନାହିଁ, ମୂଳ ମାଲିକର ଜମିରେ ଚାଷ କଲା ବେଳେ ବିକ୍ରୀବଟାରେ ସମସ୍ୟା, ତା’ ଉପରେ କରୋନା କାଳର ପ୍ରତିବନ୍ଧକ ହେତୁ ଚାଷ, ବିକ୍ରୀ ଉଭୟ ପାଇଁ ସୀମିତ ସୁଯୋଗ – ଭୂମିହୀନ ପାଇଁ ଜୀବିକା ସାଉଁଟିବା, ପରିବାର ଚଳାଇବା ସ୍ବାଭାବିକ ଭାବେ କାଠିକର ହୋଇ ପଡି ଥିଲା।

ସର୍ବବ୍ୟାପୀ ଆର୍ଥିକ ଶିଥିଳତା ଭିତରେ ଜନକଲ୍ୟାଣକାରୀ ଜନନେତା ଭାବେ ଗୋଟିଏ ସମ୍ବେଦନଶୀଳ ଗୋଷ୍ଠୀର ଦଶା ବୁଝିଚନ୍ତି ମୁଖ୍ୟମନ୍ତ୍ରୀ। ଭୂମିହୀନଙ୍କ ପାଇଁ ସାହାରା ପାଲଟିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ୩୮୬ କୋଟିର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କେବଳ ଅନୁଦାନ ଦେଇନାହାନ୍ତି। ଭୂମିହୀନ କୃଷକର ତ୍ୟାଗ ଓ ପରିଶ୍ରମରୁ ଚାଷବାସରେ ମିଳୁଥିବା ସଫଳତା ଉପରେ ଗୁରୁତ୍ବାରୋପ କରି ସେମାନଙ୍କ ଅବଦାନକୁ ସମ୍ପୂର୍ଣ୍ଣ ସ୍ବୀକୃତି ଦେଇଛନ୍ତି।

ରାଜ୍ୟରେ କୃଷି ସଂସ୍କାର ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତା ଦୋହରେଇ ସ୍ବାମୀନାଥନ୍ କମିଟି ରିପୋର୍ଟ୍ ଲାଗୁ ହେଲା ଯାଏଁ ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ କେବଳ କୃଷକ, କୃଷିବିତ୍ ନୁହେଁ, ରାଜନୈତିକରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ମଧ୍ୟ ସାଦରେ ସ୍ବାଗତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଅକ୍ଷୟ ତୃତୀୟାରେ ଚାଷ କାମ ଆରମ୍ଭ ପୂର୍ବରୁ କାଳିଆ ଯୋଜନାରେ ୪୨ ଲକ୍ଷ ଓଡ଼ିଆ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ୯୨୦ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ – ଯାହା ରାଜ୍ୟର କୃଷକ ସମାଜକୁ କରୋନା କାଳରେ ବଡ଼ ଆଶ୍ଵସ୍ତି ଦେଇଥିଲା। ଆଉ ଏବେ ଭୂମିହୀନ ଅନ୍ନଦାତାଙ୍କ ପରିବାର ପାଇଁ ନବୀନଙ୍କ ଏହି ଅନୁଦାନ ସାରା ଦେଶରେ କୃଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦାୟିତ୍ୱବଦ୍ଧତାର ଅନନ୍ୟ ନଜିର ସୃଷ୍ଟି କରିଛି।

ହିତାଧିକାରୀ ଓ ପର୍ଯ୍ୟବେକ୍ଷକ – ହରେକ ମହଲରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ସ୍ବତଃସ୍ଫୁର୍ତ୍ତ ଆଦୃତିର ପ୍ରଶସ୍ତତା ଆମେ ନମୁନା ଜରିଆରେ ଖୋଜିବା। କନ୍ଧମାଳ ଜିଲ୍ଲାର କୃଷକ ଚକ୍ରପାଣି କହଁରଙ୍କ କହିବା ପ୍ରକାରେ କୃଷି ହେଉଛି ଆମ ରାଜ୍ୟର ଆର୍ଥିକ ମେରୁଦଣ୍ଡ। ଆମ ମୁଖ୍ୟମନ୍ତ୍ରୀ ସଠିକ୍ ବୁଝିଛନ୍ତି ଯେ ଚାଷୀ ପରିବାର ଯଦି ଖୁସିରେ ରହେ, ତେବେ ସାଢ଼େ ୪ କୋଟି ଓଡ଼ିଆ ଆନନ୍ଦରେ ରହିବେ। ତେଣୁ ନିଜ ରାଜ୍ୟର ଲକ୍ଷ ଲକ୍ଷ କୃଷକଙ୍କ ସ୍ବଚ୍ଛନ୍ଦ ଜୀବନ ସକାଶେ ସେ ସଦା ତତ୍ପରତା ଦେଖାଇ ଆସିଛନ୍ତି। ଗଜପତିର କୃଷକ ରମେଶ ବାଘଷଣ୍ଢ କହିଛନ୍ତି ଯେ- ସାଧାରଣ ଉଠା ଦୋକାନୀ ହୁଅନ୍ତୁ କି ଆମ ଭଳି ଭୂମିହୀନ ଚାଷୀ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ମହାମାରୀ କାଳର ଦୁର୍ଦ୍ଦଶା ଭଲ ଭାବେ ଅନୁଭବ କରିପାରୁଛନ୍ତି। ସେଥିପାଇଁ ତ ସେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଆର୍ଥିକ ସହଯୋଗର ହାତ ବଢାଇ ଆମ ପାଇଁ ଖୁସି ଆଣି ଦେଉଛନ୍ତି।

ମାଲକାନଗିରି ଜିଲ୍ଲାର ଜମିହୀନ ଚାଷୀ ରମଣ ଖେସକାଙ୍କ ମତରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆମମାନଙ୍କ ପାଇଁ ବଡ଼ ପ୍ରୋତ୍ସାହନ। ଏଭଳି କଷ୍ଟ ସମୟରେ ଏପରି ସହାୟତା ନିଶ୍ଚିତ ଭାବେ ଆମକୁ ଆଗାମୀ ଚାଷବାସ ପାଇଁ ସହାୟକ ହେବ। ସେଥିପାଇଁ ନବୀନ ବାବୁଙ୍କୁ ମୁଣ୍ଡିଆ। କୋରାପୁଟ ଜିଲ୍ଲାର ଚାଷୀ ପ୍ରଶାନ୍ତ ମୁନୀ କହନ୍ତି- ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଚାଷୀଙ୍କ ସକାଶେ ଆର୍ଥିକ ସହାୟତା ଘୋଷଣା କରି କରୋନା କାଳରେ ସେମାନଙ୍କୁ କେବଳ ଆଶ୍ବସ୍ତି ଦେଉନାହାନ୍ତି, ଏଥିସହ ସେମାନଙ୍କ ମନୋବଳ ବଢାଇ ଆସୁଛନ୍ତି। ରାୟଗଡ଼ା ଜିଲ୍ଲାର ଅବସରପ୍ରାପ୍ତ କୃଷି କର୍ମଚାରୀ ରଜନୀକାନ୍ତ ମଣ୍ଡଳ କହନ୍ତି- ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ ନିଜର ସବୁଠାରୁ ପ୍ରିୟ ଯୋଜନା କହି ପରୋକ୍ଷରେ ଜଣାଇଛନ୍ତି ଯେ ସେ ଚାଷୀ ସମାଜକୁ କେତେ ଗୁରୁତ୍ଵ ଦିଅନ୍ତି। ଆମ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବାକୁ ହେଲେ କୃଷକଙ୍କୁ ସଶକ୍ତ ଓ ମଜବୁତ କରିବାକୁ ହେବ – ଯେଉଁଥିପାଇଁ ନବୀନ ପଟ୍ଟନାୟକ ପ୍ରତି ସମୟରେ ସଠିକ ପଦକ୍ଷେପ ନେଇ ଆସୁଛନ୍ତି। ସେ ଜଳସେଚନର ବିକାଶ ହେଉ କି କରୋନା କାଳରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ରାଜ୍ୟକୁ କୃଷି ବିକାଶରେ ଚାମ୍ପିଅନ୍ କରାଇବାରେ ସେ ଜଣେ ଦକ୍ଷ ଅଧିନାୟକ ଭୂମିକା ଗ୍ରହଣ କରି ଆସୁଛନ୍ତି।

ଗଞ୍ଜାମ ଜିଲ୍ଲା କୃଷି ଅଧିକାରୀ ସଙ୍ଗଠନର କର୍ମକର୍ତ୍ତା ଜି.ସୌମେୟା କହନ୍ତି- କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଦା ପ୍ରୟାସ କରି ଆସୁଛନ୍ତି। ଏହି ଘୋଷଣା ତାହାର ଆଉ ଏକ ଉଦାହରଣ ଯେଉଁଥିରେ ରାଜ୍ୟର ୧୮ ଲକ୍ଷରୁ ଅଧିକ ଜମିହୀନ ଚାଷୀ ଉପକୃତ ହୋଇପାରିବେ। ନିଶ୍ଚିତ ଭାବେ ସେମାନେ ରାଜ୍ୟର ଶସ୍ୟ ଉତ୍ପାଦନରେ ଅଧିକ ସକ୍ରିୟ ହୋଇ ପରିଶ୍ରମ କରିବେ ଯାହା ରାଜ୍ୟର ଖାଦ୍ୟଶସ୍ୟ ଚାହିଦା ପୂରଣ ସହ ଆର୍ଥିକ ପ୍ରଗତିରେ ସହାୟକ ହେବ। ରଙ୍ଗେଇଲୁଣ୍ଡାର ଚାଷୀ ଧର୍ମେଶ ରେଡ୍ଡୀ କହନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେଥିପାଇଁ ତ ସେ ସବୁବେଳେ କୃଷକଙ୍କ ହିତରକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଚାଷୀ ପରିବାର ମୁହଁରେ ହସ ଆଣିଛି, ମନରେ ଆଶା ବିଶ୍ୱାସ ଭରୁଚି ଯେ ସରକାର ଚାଷୀଙ୍କ ସହ ସବୁବେଳେ ରହି ଆସିଛନ୍ତି। ବୁଗୁଡାର କୃଷକ ପରିବାରର ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା ହେଲା ଯେତେବେଳେ କେନ୍ଦ୍ର ବା ଅନ୍ୟ ରାଜ୍ୟ ସରକାରମାନେ କୃଷକଙ୍କ ସ୍ୱାର୍ଥର କଥା କେବଳ ବାଚନିକ ଭାବେ କୁହନ୍ତି ଏବଂ ଯେତେ ବେଳେ ଚାଷୀ ଆନ୍ଦୋଳନ ଆଳରେ କୃଷକଙ୍କୁ ସଚରାଚର ବିଭ୍ରାଟ କରାଯାଉଛି, ଯେତେ ବେଳେ ଅନ୍ୟ ରାଜ୍ୟରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଚାଷୀ ନିଜ ଜୀବନକୁ ଶେଷ କରି ଦେଉଛନ୍ତି, ସେତେବେଳେ ନବୀନ ପଟ୍ଟନାୟକଙ୍କ କୃଷି ନୀତି ଓ କୃଷକଙ୍କୁ ଆର୍ଥିକ ସହାୟତା ଦେଶରେ ଆଉ ଏକ ଅନୁକରଣୀୟ ମଡେଲ ହୋଇଛି। ଏଠି ଚାଷୀଙ୍କୁ ସରକାରଙ୍କ ସମସ୍ତ ପ୍ରୋତ୍ସାହନ ମିଳିବା ସାଙ୍ଗକୁ ଭିତ୍ତିଭୂମିର ବିକାଶ ହେଉଛି। ତେଣୁ ଚାଷୀ ଆନ୍ଦୋଳନ କିମ୍ବା ଆତ୍ମହତ୍ୟା ଦୂରର କଥା ବରଂ ରାଜ୍ୟ କୃଷି କ୍ଷେତ୍ରରେ ବାରମ୍ବାର ଜାତୀୟ ପୁରସ୍କାର ପାଇଁ ପାରଦର୍ଶିତା ପ୍ରଦର୍ଶନ କରି ଚାଲିଛି। ଆଉ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଯାଏ।

ବିଶ୍ଳେଷକ ଏବଂ ବିଶେଷଜ୍ଞ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଟ୍ବିଟ୍ କରିଛନ୍ତି ଯେ ନବୀନ ପଟ୍ଟନାୟକ ସ୍ୱାମୀନାଥନ୍ କମିଶନ୍ ପ୍ରସ୍ତାବ ଲାଗୁ କରିବା ସହ କୃଷକଙ୍କ ସ୍ୱାର୍ଥ ରକ୍ଷା ସକାଶେ ଲଢେଇର ଦମ୍ଭ ଦେଖାଇଛନ୍ତି। କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକଙ୍କୁ ଅନୁଦାନ ପାଇଁ ସେ ନିଶ୍ଚିତ ଧନ୍ୟବାଦର ପାତ୍ର। ସମସ୍ତ ଓଡ଼ିଶାବାସୀ ସବୁବେଳେ ତାଙ୍କ ସହ ରହି ଆସିଛନ୍ତି। ମୋଟାମୋଟି ଭାବେ କେବଳ କୃଷକ ନୁହେଁ, ସମାଜର ବିଭିନ୍ନ ବର୍ଗର କୃଷକ-ଦରଦୀ, ବିବେକଦୀପ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କୁ ମହାମାରୀ ସଙ୍କଟ ସମୟରେ ରାଜ୍ୟବାସୀଙ୍କ ସାମଗ୍ରିକ ହିତସାଧନ ନିମନ୍ତେ ଦୂରଦୃଷ୍ଟିଚାଳିତ ନେତୃତ୍ବ ଓ ସମ୍ପନ୍ନ ଶାସନ ସକାଶେ ଉଚ୍ଛ୍ବସିତ ପ୍ରଶଂସା କରି ଆସୁଛନ୍ତି।

Comments are closed.