ମନ ମୋହିବ ରାଜ୍ୟର ପ୍ରଥମ ଗ୍ରାସ୍ ପାର୍କ

ଘାସରେ ତିଆରି ଠେକୁଆ, ଜିରାଫ୍, ହାତୀ, ବାଘ, ଗାଈ, ମୟୂର, ଘୋଡ଼ା ଓ ଛୁଆକୁ ସ୍ନେହ କରୁଥିବା ମାଆର ପ୍ରତିକୃତି। ଦେଖିଲେ ଲାଗିବ ଜୀବନ୍ତ, ସତେ ଯେମିତି ଘାସ ତାର ସବୁଜିମାରେ ଏସବୁକୁ ନିଜ ଭିତରେ ଲୁଚାଇ ରଖିବାକୁ ପ୍ରୟାସରତ। ତେବେ ଏହା ସତସତିକା ଘାସ ନୁହେଁ, କୃତ୍ରିମ ଘାସରେ ତିଆରି ବିଭିନ୍ନ ଆକର୍ଷଣୀୟ କଳାକୃତି। ଆଉ ଆପଣ ଏସବୁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଦେଖିବାକୁ ପାଇବେ। ଗୁରୁବାର ଆଇଟିଆଇ କ୍ୟାମ୍ପସରେ ଉଦ୍‌ଘାଟିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସ୍ ଆର୍ଟ ପାର୍କ। ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ଏସବୁ ତାଲିମଦାତାଙ୍କ ତତ୍ତ୍ଵାବଧାନରେ ସୁନ୍ଦର ଭାବେ ତିଆରି କରାଯାଇଛି।

ଥ୍ରୀ-ଡି ଗ୍ରାଫିକ୍ସ ଡିଜାଇନ୍ କରି ରଦ୍ଦି ଲୁହାକୁ ୱେଲଡିଂ ଓ ଫେବ୍ରିକେଟିଂ କରି ପ୍ରସ୍ତୁତ ହେଉଛି ବିଭିନ୍ନ ଢାଞ୍ଚା। ପରେ ରବର ଚାଦର (ସିଟ୍)ରେ କୃତ୍ରିମ ଘାସକୁ ବୁଣାଯାଇ, ଢାଞ୍ଚା ଅନୁସାରେ ତାହାକୁ କାଟି ସଜ୍ଜିତ କରାଯାଉଛି। ଏସବୁ କଳାକୃତି ଆଇଟିଆଇ ପରିସରରେ ସର୍ବସାଧାରଣଙ୍କ ଦେଖିବା ଲାଗି ରଖାଯାଇଛି। ଉଲ୍ଲେଖନୀୟ କଥା ହେଉଛି ଯେ- ଏସବୁ ବ୍ରହ୍ମପୁର ସରକାରୀ ଆଇଟିଆଇ ଦ୍ବାରା ନିଆରା ଆଇଡିଆ (ଭାବନା ବା ଚିନ୍ତାଧାରା)କୁ ନିଜେ ଦୈନଦିନ ଶିଖୁଥିବା ବିଭିନ୍ନ ଶିଳ୍ପ ତାଲିମ ସମ୍ବନ୍ଧିତ ଜ୍ଞାନକୌଶଳର ପ୍ରୟୋଗ କରି ଏଭଳି ଆକର୍ଷଣୀୟ କଳାକୃତି ତିଆରି କରାଯାଉଛି।

ଋଷିଆରେ ଗ୍ରାସ୍ ଆର୍ଟ ବେଶ୍ ପ୍ରସିଦ୍ଧ। ଅପରପକ୍ଷରେ ଯୁଗ ବଦଳିବା ସହ ଏକ୍ସଟେରିୟର୍ ଓ ଇଣ୍ଟେରିୟର୍ ଡେକୋରେସନ୍, ପାର୍ଟି ଡେକୋରେସନ୍ (ବାହ୍ୟ ଓ ଘର ଭିତରର)ର ପଦ୍ଧତି ବଦଳିବାରେ ଲାଗିଛି। ଲୋକେ ନୂଆ ନୂଆ ଜିନିଷକୁ ଖୋଜୁଛନ୍ତି ଓ ବ୍ୟବହାର ମଧ୍ୟ କରୁଛନ୍ତି। ସେ ଦୃଷ୍ଟିରୁ ଆମ ଚାରିପାର୍ଶ୍ୱକୁ ସବୁଜିମା (କୃତ୍ରିମ)ରେ ଭରି ଦେବା ପାଇଁ ଗ୍ରାସ୍ ଆର୍ଟ ଚାହିଦା ଆଗକୁ ଅଧିକ ବଢିବାର ଆଶା କରାଯାଉଛି। ଏଣୁ ଏ କ୍ଷେତ୍ରରେ ବ୍ରହ୍ମପୁର ଆଇଟିଆଇ ଏକରକମ ନେତୃତ୍ବ ନେଇ ଗୋଟିଏ ପଟେ ନିଆରା କୌଶଳର ପ୍ରୟୋଗ ଓ କାର୍ଯ୍ୟକାରିତା, ଆରପଟେ ନିଜ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ଏଭଳି ବିଭିନ୍ନ ପନ୍ଥା ଅବଲମ୍ବନ କରି ଆସୁଛି। ଏହାର ପ୍ରସ୍ତୁତି ଦ୍ଵାରା ଆଗାମୀ ଦିନରେ ଆୟ ଉପାର୍ଜନର ମଧ୍ୟ ବ୍ୟାପକ ସୁଯୋଗ ଉପଲବ୍ଧ ହେବା ଆଶା କରାଯାଉଛି।

ଗ୍ରାସ୍ ଆର୍ଟ ପାର୍କ ଭର୍ଚୁଆଲ୍ ଉଦ୍‌ଘାଟନୀରେ ମୁଖ୍ୟ ଅତିଥି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସୁବ୍ରତୋ ବାଗଚୀ କହିଥିଲେ ଯେ- ବ୍ରହ୍ମପୁର ଆଇଟିଆଇ ରାଜ୍ୟର ଅନ୍ୟାନ୍ୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ପ୍ରେରଣାଦାୟୀ ହେଉ। ଅନ୍ୟ ଆଇଟିଆଇକୁ ଏଭଳି ଭିନ୍ନ ଧରଣର କାର୍ଯ୍ୟ ପାଇଁ ମାର୍ଗଦର୍ଶନ କରୁ। ତା ସହ ନିଜ ମୌଳିକ କୃତିତ୍ବ ସୃଷ୍ଟି କରିବାକୁ ପ୍ରୟାସ କରୁ। ଡିଜାଇନିଂ ଓ ଇଞ୍ଜିନିୟରିଂର ସ୍ପର୍ଶରେ ରହି ସାମଗ୍ରୀର ମଧ୍ୟ ମୂଲ୍ୟଯୁକ୍ତ ଚାହିଦା (ଭାଲ୍ୟୁ ଏଡିସନ୍) ବୃଦ୍ଧି ପାଇବ ବୋଲି କହିଥିଲେ ସେ। ସେହିପରି ବୈଷୟିକ ଶିକ୍ଷା ଓ ତାଲିମ (ଡିଟିଇଟି) ନିର୍ଦ୍ଦେଶକ ରେଘୁ ଜୀ କହିଥିଲେ ଯେ- ଆଗାମୀ ଦିନରେ ନୂଆ କୌଶଳ ପ୍ରୟୋଗର ସମୟ ଆସୁଛି। ତାହାକୁ ଆଇଟିଆଇ ପ୍ରଶିକ୍ଷାର୍ଥୀମାନେ ଗ୍ରହଣ କରି ନିଯୁକ୍ତି ସୁଯୋଗ ବ୍ୟାପକ ମାତ୍ରାରେ ସୃଷ୍ଟି କରିବା ଉଚିତ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭର୍ଚୁଆଲ୍ ଭାବେ ଯୋଗ ଦେଇଥିବା ବେଳେ ଆଇଟିଆଇ ପରିସରରେ ଉପସ୍ଥିତ ଥିଲେ ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ, ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ପ୍ରମୁଖ। ବ୍ରହ୍ମପୁର ମହାନଗରରେ ଏଭଳି ଗ୍ରାସ୍ ଆର୍ଟକୁ ବିଭିନ୍ନ ସ୍ଥାନରେ ସଜାଇ ରଖାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର।

Comments are closed.