ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ଘର ଭୁଶୁଡ଼ି ୪୯ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର କୋଲହାପୁର, ରାୟଗଡ, ରତ୍ନାଗିରି, ପାଲଘର, ଥାନେ ଏବଂ ନାଗପୁରର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ଘର ଭୁଶୁଡ଼ି ୪୯ ଜଣଙ୍କର ମୃତ୍ୟୁ ହୋଇଛି। ପାହାଡ଼ରୁ ମାଟି ଅତଡ଼ା ଖସି ରାୟଗଡର ତାଲାଇ ଗାଁର ଆବାସିକ ଅଞ୍ଚଳରେ ପଡିଥିଲା। ୩୫ଟି ଘର ମାଟି ଅତଡ଼ା ତଳେ ପୋତି ହୋଇଯାଇଥିଲା | ଏହି ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ମାଟି ତଳୁ ୩୨ ମୃତଦେହ ଉଦ୍ଧାର କରାଯାଇଛି ।

ସତାରା ଅମ୍ବେଗର ଗ୍ରାମରେ ମଧ୍ୟ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଏଠାରେ ୮ ଜଣ ପ୍ରାଣ ହରାଇଛନ୍ତି। ମାଟି ତଳେ ପ୍ରାୟ ୨୦ ଜଣ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି | ଅନ୍ୟପକ୍ଷରେ ମୁମ୍ବାଇ ନିକଟସ୍ଥ ଗୋଭାଣ୍ଡିରେ ଏକ କୋଠା ଭୁଶୁଡ଼ିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମୁମ୍ବାଇର ରାଜୱାଡି ଅମର ସିଓନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.