ଅଣାୟତ୍ତ ହେଉଛି ଦିଲ୍ଲୀ ସ୍ଥିତି

ନୂଆଦିଲ୍ଲୀ – ରାଜଧାନୀ ନଗରୀ ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଦିଲ୍ଲୀରେ ଦୈନିକ ମାମଲା, ମୃତ୍ୟୁହାର ସହ ପଜିଟିଭିଟି ରେଟ୍ ଚିନ୍ତାର ବିଷୟ ହୋଇଛି । ଚଳିତ ମାସ ଆରମ୍ଭରୁ ଦିଲ୍ଲୀରେ ପଜିଟିଭିଟି ରେଟ୍ ଲଗାତର ଭାବେ ୧୦ ପ୍ରତିଶତରୁ ଊର୍ଦ୍ଧ୍ୱ ରହିଛି । ଏପରିକି ଦୁଇଥର ପଜିଟିଭିଟି ରେଟ୍ ୧୫% ଟପିଥିଲା । ସ୍ଥିତି ଏପରି ହୋଇଛି ଯେ, ଏହି ମହାମାରୀରେ ଗତ ୬ ଦିନ ଧରି ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଉଛନ୍ତି ।

ଦିଲ୍ଲୀରେ ପ୍ରତି ଏକ ଘଣ୍ଟାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହେଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୦୦୦ରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏବେ ସୁଦ୍ଧା କରୋନା ୮୧୫୨ ଜଣଙ୍କ ପ୍ରାଣ ନେଲାଣି । ନଭେମ୍ବର ମାସ ଦିଲ୍ଲୀ ପାଇଁ ଘାତକ ସାଜିଛି । ଏହାଛଡ଼ା ପଡ଼ୋଶୀ ରାଜ୍ୟ ହରିୟାଣା ଓ ପଞ୍ଜାବ ଚାଷୀଙ୍କ ଦ୍ୱାରା ନଡ଼ା ଜଳାଯିବା କାରଣରୁ ଦିଲ୍ଲୀର ପ୍ରଦୂଷଣ ବଢିଛି । ଏବଂ ଏହା କରୋନା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ତେବେ ସଂକ୍ରମଣ ହାର ଆସନ୍ତା ଦୁଇ-ତିନି ସପ୍ତାହ ଭିତରେ କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Comments are closed.