ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ : ୩ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ କାର୍ଯ୍ୟ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ହୋଇଛି । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି । ୩ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଦୁଇ ଘଂଟା ବିଳମ୍ବରେ ସରିଲା ବେଶ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ । ମହାପ୍ରଭୁଙ୍କ ସୁନା ଅଳଙ୍କାର ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଥିଲା । ଅଧିକ ସଂଖ୍ୟକ ସେବାୟତ ନିୟୋଜନ ନେଇ ବି ବିବାଦ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସକଙ୍କ ହସ୍ତକ୍ଷେପ ଓ ବୁଝାଶୁଝା ପରେ ବେଶଲାଗି ଆରମ୍ଭ ହୋଇଥିଲା । ନାଗାର୍ଜୁନ ବେଶରେ ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୁଅନ୍ତି ମହାପ୍ରଭୁ । ବୀର ନାଗା ବେଶରେ ସଜେଇ ହୁଅନ୍ତି ମହାପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥ । ଦେବୀ ସୁଭଦ୍ରା ତ୍ରିଭୁବନେଶ୍ୱରୀ ବେଶ ହୁଅନ୍ତି ।

ଶ୍ରୀମନ୍ଦିରରେ ପାଟପଟୁଆରରେ ମହାବାହୁଙ୍କ ବେଶ ପହଂଚିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତି ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ନିର୍ଦ୍ଧାରିତ ନୀତି ନିର୍ଘଂଟ ଅନୁସାରେ ସକାଳ ୭ଟାରେ ସରିବାର ଥିଲା ବେଶ ।

୨୬ ବର୍ଷ ପରେ ନାଗାର୍ଜୁନ ବେଶ ପଡୁଥିଲେ ମଧ୍ୟ କୋରୋନା ଯୋଗୁଁ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି । ଏଥିପାଇଁ ଭକ୍ତଙ୍କ ଅଭିମାନ । ଯେଉଁ ବର୍ଷ କାର୍ତିକରେ ପଂଚକ ୫ ଦିନ ପରିବର୍ତେ ୬ ଦିନ ପଡିଥାଏ, ସେହିବର୍ଷ ମହାପ୍ରଭୁ ନାଗାର୍ଜୁନ ବେଶରେ ସଜେଇ ହୁଅନ୍ତି ।

Comments are closed.