ନୀତି ଆୟୋଗ ପୁସ୍ତକରେ ଓଡିଶାର କୋଭିଡ ପରିଚାଳନା

ଭୁବନେଶ୍ୱର- ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସବୁ ଜିଲ୍ଲାରେ କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଥିଲା । କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ଦୁଇଟି ଘରୋଇ ହସପିଟାଲ ସହ ଏମଓୟୁ ସ୍ୱାକ୍ଷର କରିବାରେ ପ୍ରଥମ ରାଜ୍ୟ ହୋଇଥିଲା ଓଡିଶା । ଓଡିଶାର ସଫଳ କୋଭିଡ ପରିଚାଳନା ନୀତି ଆୟୋଗର ପୁସ୍ତକ –‘ମିଟିଗେସନ ଆଣ୍ଡ୍ ମ୍ୟାନେଜମେଂଟ୍ ଅଫ କୋଭିଡ-୧୯’ରେ ସ୍ଥାନ ପାଇଛି ।

କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ରାଜ୍ୟର ନବୀନ ସରକାର କିଭଳି ଆଗୁଆ ପଦକ୍ଷେପ ସବୁ ନେଇଥିଲେ,ତାହା ନୀତି ଆୟୋଗର ପୁସ୍ତକରେ ସ୍ଥାନ ପାଇଛି । ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗୁଆ ବେତନ, ସେମାନଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଅନୁରୋଧ, କୋଭିଡ ଯୋଦ୍ଧାଙ୍କୁ ଦୁର୍ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଭଳି ପଦକ୍ଷେପ ନୀତି ଆୟୋଗ ପୁସ୍ତକରେ ସ୍ଥାନ ପାଇଛି ।

ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁରେ ପରିବାର ଲୋକଙ୍କୁ ୫୦ ଲକ୍ଷ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁରେ ୧୫ ଲକ୍ଷ ଟଙ୍କା ଅନୁକଂପାମୂଳକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ସହ ୫ ଲକ୍ଷ ପ୍ରବାସୀଙ୍କୁ ଫେରାଇ ଆଣିବା, ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ପଦକ୍ଷେପ ସଂପର୍କରେ ମଧ୍ୟ ନୀତି ଆୟୋଗ ପୁସ୍ତକରେ ଉଲ୍ଲେଖ ରହିଛି । ପଂଚାୟତିରାଜ ବ୍ୟବସ୍ଥାକୁ ସକ୍ରିୟ କରି ସରପଂଚଙ୍କ କ୍ଷମତା ପରିସର ବୃଦ୍ଧି ପାଇଁ ନିଷ୍ପତି ବି ପୁସ୍ତକରେ ସ୍ଥାନ ପାଇଛି ।

Comments are closed.