‘ନିଭାର’ ପରେ ଏବେ ତାମିଲନାଡୁକୁ ‘ବୁରେଭି’ ଭୟ

ନୂଆଦିଲ୍ଲୀ – ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଏବେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି । ଏହି ସମ୍ଭାବ୍ୟ ବାତ୍ୟା ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗର ପ୍ରାରମ୍ଭିକ ଆକଳନରେ କୁହାଯାଇଛି । ନଭେମ୍ବର ୨୫ରେ ବାତ୍ୟା ‘ନିଭାର’ ତାମିଲନାଡୁର କରାଇକେଲ ନିକଟରେ ସ୍ଥଳଭାଗ ଛୁଇଁଥିଲା । ‘ନିଭାର’ ପ୍ରଭାବରେ ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ଓ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଅକ୍ଟୋବର-ନଭେମ୍ବରରେ ବଙ୍ଗୋପ ସାଗର ଓ ଆରବ ସାଗରର ତାପମାତ୍ରା ବଢିଥାଏ । ଏହା ବାତ୍ୟା ପାଇଁ ଅନୁକୂଳ କ୍ଷେତ୍ର ସୃଷ୍ଟି କରିଥାଏ ବୋଲି ଭାରତୀୟ ପାଣିପାଗ ବିଭାଗର ଜଳବାୟୁ ଗବେଷଣା ମୁଖ୍ୟ ଡକ୍ଟର ଡି.ଶିବାନନ୍ଦ ପାଇ କହିଛନ୍ତି । ପ୍ରତ୍ୟକ ବର୍ଷ ଭାରତୀୟ ମହାସାଗରରେ ପ୍ରାୟ ପାଞ୍ଚଟି ବାତ୍ୟା ସୃଷ୍ଟି ହୋଇଥାଏ । ଏଥିମଧ୍ୟରୁ ବଙ୍ଗୋପ ସାଗରରେ ଚାରିଟି ବାତ୍ୟା ସୃଷ୍ଟି ହୁଏ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ତଥା କନ୍ୟାକୁମାରୀ ଠାରୁ ୧୧୨୦ କିଲୋମିଟର ପୂର୍ବ-ଦକ୍ଷଣପୂର୍ବରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହି ବାତ୍ୟାର ନାମ ‘ବୁରେଭି’ ରହିବ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରି ଡିସେମ୍ବର ୨ ସୁଦ୍ଧା ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦକ୍ଷିଣ ତାମିଲନାଡୁ ଜିଲ୍ଲାଗୁଡିକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ତାମିଲନାଡୁର ଅଧିକାଂଶ ଜିଲ୍ଲା ସମେତ କେରଳର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.