ଡିବିଆଇଏଲ୍ ସହ ଲକ୍ଷ୍ମୀବିଳାସ ବ୍ୟାଙ୍କର ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ – ଡିବିଆଇଏଲ୍ ବ୍ୟାଙ୍କ ସହ ଲକ୍ଷ୍ମୀବିଳାସ ବ୍ୟାଙ୍କର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏ ସମ୍ପର୍କିତ ନିଷ୍ପତ୍ତିକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ମିଶ୍ରଣ ଯୋଜନା ମୁତାବକ ଲକ୍ଷ୍ମୀବିଳାସ ବ୍ୟାଙ୍କରେ ଡିବିଆଇଏଲ୍ ୨୫୦୦ କୋଟି ପୁଞ୍ଜି ନିବେଶ କରିବ । ଏଥିସହ ଗ୍ରାହକଙ୍କ ପାଇଁ ପୂର୍ବରୁ ଲଗାଯାଇଥିବା ଟଙ୍କା ଉଠାଣ କଟକଣା ମଧ୍ୟ ହଟିଛି ।

ଲକ୍ଷ୍ମୀବିଳାସ ବ୍ୟାଙ୍କ୍ର ଆର୍ଥିକ ସଙ୍କଟ ଦୃଷ୍ଟିରୁ ଜମାକାରୀଙ୍କ ପାଇଁ ମାସିକ ଟଙ୍କା ଉଠାଣ ସୀମା ୨୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏବେ ଏହି ବ୍ୟାଙ୍କର ଜମାକାରୀ ନିଜ ଆବଶ୍ୟକ ଅନୁସାରେ ଟଙ୍କା ଉଠାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ।

ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ôଥକ ସଙ୍କଟ ପାଇଁ ଦାୟୀ ପୂର୍ବ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆର୍ଥିକ ସଙ୍କଟ ଓ ଅନାଦେୟ ଋଣ ବୋଝ ଦୃଷ୍ଟିରୁ ନିକଟରେ କେନ୍ଦ୍ର ସରକାର ଲକ୍ଷ୍ମୀବିଳାସ ବ୍ୟାଙ୍କ୍ ଉପରେ ଡିସେମ୍ବର ୧୬ ଯାଏଁ ମୋରାଟୋରିୟମ ଲଗାଇଥିଲେ । ବ୍ୟାଙ୍କର ଲିକ୍ୱିଡିଟି କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଆରବିଆଇ ବ୍ୟାଙ୍କର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲା । ସିଙ୍ଗାପୁରର ସବୁଠୁ ବଡ଼ ବ୍ୟାଙ୍କ୍ ଡିବିଏସ୍ର ସ୍ଥାନୀୟ ୟୁନିଟ୍ ଡିବିଏସ ବ୍ୟାଙ୍କ୍ ଇଣ୍ଡିଆ ଲିମିଟେଡ ସହ ଲକ୍ଷ୍ମୀବିଳାସ ବ୍ୟାଙ୍କର ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ।

Comments are closed.