ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିଲା

ନୂଆଦିଲ୍ଲୀ – କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଦିଲ୍ଲୀରେ ପହଞ୍ଚିଛି । ଚାଷୀଙ୍କ ଆଗରେ ସରକାର ଶେଷରେ ମୁଣ୍ଡ ନୁଆଁଇ ସେମାନଙ୍କୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ତେବେ ସିଙ୍ଗୁ ସୀମାରେ ଏବେ ବି ଉତ୍ତେଜନା ଲାଗି ରହିଛି। ହରିୟାଣା ଏବଂ ପଞ୍ଜାବର ଚାଷୀମାନେ ଏଠାରେ ବହୁ ସଂଖ୍ୟାରେ ରୁଣ୍ଡ ହୋଇଛନ୍ତି | ମଝି ମଝିରେ ଢେଲାମାଡ଼ ବି ହେଉଥିବା ଖବର ଆସୁଛି । ଚାଷୀଙ୍କୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ସିଙ୍ଗୁ ସୀମାରେ ତିନୋଟି ସ୍ତରରେ ବ୍ୟାରିକେଡ୍ କରିଥିଲା। ବ୍ୟାରିକେଡ୍ ଆଗରେ କଣ୍ଟା ତାର ଲଗାଯାଇଥିଲା |

ପରେ ଟ୍ରକ୍ ଗୁଡିକୁ ବ୍ୟାରିକେଡ୍ ପରି ଫିଟ୍ କରାଯାଇଥିଲା | ଶେଷରେ ୱାଟର କାନନ ବି ସ୍ଥାପିତ ହୋଇଥିଲା । ତଥାପି ଏଭଳି ବ୍ୟବସ୍ଥା ଚାଷୀଙ୍କୁ ଅଟକାଇ ପାରି ନଥିଲା। ପଞ୍ଜାବ-ହରିୟାଣା ସୀମାରୁ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ତିନୋଟି ରାଜ୍ୟର ପୋଲିସ ୮ ଥର ବଡ ଅବରୋଧ କରି ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ପ୍ରତ୍ୟେକ ଥର ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ଆଗକୁ ବଢିଥିଲେ।

ଦିଲ୍ଲୀର ସିଙ୍ଗୁ ସୀମାରେ ଚାଷୀଙ୍କୁ ଅଟକାଇ ଦିଆଯାଇଥିଲା। ଏଠାରେ ସେମାନେ ଏକ ଟ୍ରାକ୍ଟରରେ ବହୁ ସଂଖ୍ୟାରେ ପହଞ୍ଚିଥିଲେ | ପୋଲିସ ଏଠାରେ ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ ଛାଡିଥିଲା। ସେଠାରେ ପୋଲିସ ଉପରକୁ ଚାଷୀମାନେ ଢେଲା ମାଡ କରିଥିଲେ | ଚାଷୀମାନେ ଦିଲ୍ଲୀରେ ପ୍ରବେଶ କରିବାକୁ ଜିଦ୍ ରେ ଅଟଳ ଥିଲେ । କିଛି କୃଷକ ସେଠାରେ ଧାରଣା ସ୍ଥଳରେ ରୋଷେଇ କରିଥିଲେ।

Comments are closed.