ପ୍ରସ୍ତାବିତ ଆନ୍ତର୍ଜାତିକ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

୨୦୨୨ ମଧ୍ୟଭାଗ ଶୁଦ୍ଧା ଶେଷ କରିବା ଲକ୍ଷ୍ୟ

ଭୁବନେଶ୍ବର: ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର , ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ ।

୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସୂଚନା ଯୋଗ୍ୟ ଯେ ରାଉରକେଲାରେ ଏକ ଆନ୍ତର୍ଜାତିୟ ମାନର ହକି ଷ୍ଟାଡିୟମ ନିର୍ମାଣ କରାଯିବା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ । ଏହି ନୂଆ ଷ୍ଟାଡିୟମ ଜାନୁଆରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପ୍ରର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକା ସଂଗରେ କୋଡ଼ିଏ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରେବେ । ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେପରି ବିଶ୍ୱ ସ୍ତରୀୟ ଅନୁଭୁତି ପ୍ରଦାନ କରି ପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି ।

ବିଶ୍ବର ଅତ୍ୟାଧୁନିକ ଏବଂ ସମ୍ପନ୍ଦିତ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିରେ ମୁଖ୍ୟ ପିଚ୍ ସହ ଫୁଡ ଲାଇଟ , ଅଭ୍ୟାସ ପିଚ୍ , ଜିମ୍ ହାଇଡ୍ରୋ ଥେରୋପି, ମିଡିଆ କେନ୍ଦ୍ର , ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ ।

ସୁନ୍ଦରଗଡ ଜିଲ୍ଲା ହକି ଖେଳାଳୀଙ୍କ ପାଇଁ ପ୍ରସିଦ୍ଧ । ଭାରତିୟ ହକିକୁ ସୁନ୍ଦରଗଡର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଏକ ପ୍ରମୁଖ ସ୍ଥାନରେ ପରିଣତ ହେବ । ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଏହି ପ୍ରକଳ୍ପ ସଂପର୍କରେ କ୍ରୀଡା ବିଭାଗର ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନା କରିଥିଲେ । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସଂପର୍କରେ ବିସ୍ତୃତ ଉପସ୍ଥାପନ କରାଯିବ ।

Comments are closed.