କଙ୍ଗନାଙ୍କ ବଙ୍ଗଳା ଭଙ୍ଗାଯିବା ମାମଲା: ବିଏମସି ନୋଟିସକୁ ରଦ୍ଦ କଲେ ବମ୍ବେ ହାଇକୋର୍ଟ, କଙ୍ଗନାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ମୁମ୍ବାଇ – ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କଙ୍ଗନାଙ୍କ ବଙ୍ଗଳା ଭଙ୍ଗାଯିବା ମାମଲାରେ ବିଏମସି ନୋଟିସକୁ ବମ୍ବେ ହାଇକୋର୍ଟ ରଦ୍ଦ କରିଛନ୍ତି । ବିଏମସି ନୋଟିସ୍ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି । ତା’ଛଡ଼ା କଙ୍ଗନାଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବରରେ କଙ୍ଗନାଙ୍କ ବାନ୍ଦ୍ରା ପାଲି ହିଲ୍ ସ୍ଥିତ ବଙ୍ଗଳାର କିଛି ଅଂଶ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଇ ବିଏମସି ତରଫରୁ ଭଙ୍ଗା ଯାଇଥିଲା । ଏହା ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଭଙ୍ଗା ଯାଇଥିବା ତାଙ୍କ ବଙ୍ଗଳାର ଅଂଶ ସେ ବହୁ ପୂର୍ବରୁ ନିର୍ମାଣ କରିଥିଲେ ।

ଶିବସେନା ନେତୃତ୍ୱାଧିନ ବିଏମସି ବେଆଇନ ନିର୍ମାଣର ଆଳ ଦେଖାଇ ତାଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି କଙ୍ଗନା ଅଭିଯୋଗ କରିବା ସହ ୨ କୋଟି କ୍ଷତିପୂରଣ ଦାବି କରିଥିଲେ । କଙ୍ଗନାଙ୍କ ପିଟିସନର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, କଙ୍ଗନା ତାଙ୍କ ବଙ୍ଗଳାର ଭଙ୍ଗଯାଇଥିବା ଅଂଶକୁ ପୁନଃ ନିର୍ମାଣ କରିପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ ବିଏମସିରୁ ଅନୁମତି ନେବାକୁ ପଡିବ । ବମ୍ବେକୁ ପାକ୍ ଅଧିକୃତ କାଶ୍ମୀର ସହ ତୁଳନା କରି କଙ୍ଗନା ଦେଇଥିବା ବୟାନକୁ ମଧ୍ୟ ହାଇକୋର୍ଟ ଭୁଲ ବୋଲି କହିଛନ୍ତି । ଉଦ୍ଧବ ଠାକରେ ସରକାର ଓ ଶିବସେନାଙ୍କୁ ଟାର୍ଗେଟ୍ କରି କଙ୍ଗନା କିଛି ଟ୍ୱିଟ କରିଥିଲେ । ଏହାଛଡ଼ା ସେ ମୁମ୍ବାଇକୁ ‘ପାକ ଅଧିକୃତ କାଶ୍ମୀର’ ବୋଲି କହିଥିଲେ । କଙ୍ଗନାଙ୍କ ଏଭଳି ଟ୍ୱିଟ୍ ପରେ ବିଏମସି ତାଙ୍କୁ ନୋଟିସ୍ ଜାରି କରି ତାଙ୍କ ବଙ୍ଗଳାର ନିର୍ମାଣ କାର୍ଯ୍ୟ ବେଆଇନ ବୋଲି କହିଥିଲା । ନୋଟିସ ପଠାଇବାର ୨୪ ଘଣ୍ଟା ପରେ କଙ୍ଗନାଙ୍କ ବଙ୍ଗଳାର କିଛି ଅଂଶକୁ ବିଏମସି ତରଫରୁ ଭଙ୍ଗାଯାଇଥିଲା ।

Comments are closed.