ପୃଥିବୀ କକ୍ଷପଥ ଛାଡ଼ିଲା ଆଦିତ୍ୟ ଏଲ୍-୧, ଲାଗ୍ରେଞ୍ଜ ପଏଣ୍ଟ ଆଡ଼କୁ ଆରମ୍ଭ କଲା ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସୌର ମିଶନ ନିଜ ଗନ୍ତବ୍ୟ ସ୍ଥଳ ଆଡକୁ ଆଉ ପାଦେ ଆଗେଇଛି । ଆଦିତ୍ୟ ଏଲ୍-୧ ମହାକାଶଯାନ ବର୍ତ୍ତମାନ ପୃଥିବୀର କକ୍ଷପଥ ଛାଡ଼ିଛି । ଏହା ଏବେ ନିଜର ଗନ୍ତବ୍ୟ ସ୍ଥଳ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ଲାଗ୍ରେଞ୍ଜ ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି | ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସୋମବାର ମଧ୍ୟରାତ୍ରିରେ ଆଦିତ୍ୟ ଏଲ୍-୧ ପୃଥିବୀର ମାଧ୍ୟାକର୍ଷଣର ପ୍ରଭାବକୁ ଅତିକ୍ରମ କରି ପୃଥିବୀ-ସୂର୍ଯ୍ୟ ପ୍ରଣାଳୀର ଲାଗ୍ରେଞ୍ଜ ପଏଣ୍ଟ ୧ ଅଭିମୁଖେ ମୁହାଁଇଛି । ସେଠାରେ ପହଞ୍ଚିବା ପାଇଁ ଏହାକୁ ଚାରି ମାସ ଲାଗିବ ବୋଲି ଇସ୍ରୋ ଏକ୍ସରେ ସୂଚନା ଦେଇଛି।

ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ଲାଗ୍ରେଞ୍ଜ ପଏଣ୍ଟ | ମହାକାଶଯାନ ଆଦିତ୍ୟ ଏଲ୍-୧ ପୃଥିବୀର ଚାରିଟି କକ୍ଷପଥ ସଫଳତାର ସହିତ ଅତିକ୍ରମ କରିଛି | ଆଦିତ୍ୟ ଏଲ୍-୧ ଲାଗ୍ରେଞ୍ଜ ପଏଣ୍ଟରେ ପହଞ୍ଚିବା ପରେ ଏହା ଏକ ଶୂନ୍ୟ କକ୍ଷପଥରେ ପ୍ରବେଶ କରିବ ଏବଂ ଏହାର ମିଶନ ଅବଧି ପର୍ଯ୍ୟନ୍ତ ସେଠାରେ ରହିବ | ପ୍ରସିଦ୍ଧ ଇଟାଲୀ-ଫରାସୀ ଗଣିତଜ୍ଞ ଜୋସେଫ-ଲୁଇ ଲାଗ୍ରେଞ୍ଜଙ୍କ ନାମରେ ଲାଗ୍ରେଞ୍ଜ ପଏଣ୍ଟ ନାମିତ ହୋଇଛି | ଏହି ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ମାଧ୍ୟାକର୍ଷଣ ବରାବର ରହିଥାଏ। ଯାହା ଫଳରେ ଏଠାରୁ ବିନା କୌଣସି ବାଧାରେ ସୂର୍ଯ୍ୟ ଗତିବିଧି ଅନୁଧ୍ୟାନ କରାଯାଇ ପାରିବ ।

ଆଦିତ୍ୟ ଏଲ୍-୧ ମଧ୍ୟ ବର୍ତ୍ତମାନ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଛି | ସେପ୍ଟେମ୍ବର ୨ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋର ସବୁଠୁ ଶକ୍ତିଶାଳୀ ରକେଟ୍ ପିଏସ୍ଏଲଭି-ସି୫୭ ମାଧ୍ୟମରେ ଲଞ୍ଚ ହୋଇଥିଲା ଆଦିତ୍ୟ ଏଲ୍-୧ ।

Comments are closed.