ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଓମିକ୍ରନ୍‌ର ବିପଦ ମଧ୍ୟରେ କରୋନା ସଂକ୍ରମଣ ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଅତି ଦ୍ରୁତ ଗତିରେ ବ୍ୟାପୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ମଙ୍ଗଳବାର ସକାଳେ ଟୁଇଟ୍ କରି ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଅଛି ବୋଲି ସେ କହିଛନ୍ତି | କରୋନା ପଜିଟିଭ୍ ହେବା ପରେ ଅରବିନ୍ଦ କେଜ୍ରିୱାଲ ନିଜକୁ ହୋମ୍ ଆଇସୋଲେସନରେ ରଖିଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମଧ୍ୟ ନିଜ କୋଭିଡ୍ ଟେଷ୍ଟ କରିବାକୁ ସେ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଗତକାଲି ଡେରାଡୁନ ରେ ଏକ ରାଲିକୁ ସମ୍ବୋଧନ କରିଥିଲେ ।

ଗତ ୨୪ ଘଣ୍ଟାରେ ରାଜଧାନୀରେ ୪୦୯୯ ନୂଆ ମାମଲା ରିପୋର୍ଟ ହୋଇଛି। ସାଢ଼େ ୭ ମାସ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ଦୈନିକ କୋଭିଡ୍ ମାମଲା ଆସିଛି। ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି | ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀରେ ଓମିକ୍ରନ୍ ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଗତ ଦୁଇ ଦିନ ଧରି ଚିହ୍ନଟ ହୋଇଥିବା କରୋନା ମାମଲାଗୁଡ଼ିକର ୮୪ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିଲେ |

ଜାତୀୟ ରାଜଧାନୀରେ ସଂକ୍ରମଣ ପୁଣି ଉପରମୁହାଁ ହେଉଥିବା ବେଳେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ)ର ଆଜି ଏକ ବୈଠକ ବସୁଛି। ଏଥିରେ ସଂକ୍ରମଣକୁ ରୋକିବା ପାଇଁ କଟକଣାକୁ ଆହୁରି କଡ଼ାକଡ଼ି କରିବା ନେଇ ନିଷ୍ପତ୍ତି ହୋଇପାରେ। ଦିଲ୍ଲୀରେ ପୂର୍ବରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି ଏବଂ ସ୍କୁଲ୍, କଲେଜ ସହ ଜିମ୍, ସିନେମା ହଲ୍ ବନ୍ଦ ରହିଛି ।

Comments are closed.