ବିହାର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୮ରୁ ତିନି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ନଭେମ୍ବର ୧୦ରେ ଗଣତି, ପ୍ରତି ବୁଥ୍ ପାଇଁ ଏଥର ହଜାରେ ଭୋଟର, ମତଦାନ ଅବଧି ଘଂଟାଏ ବୃଦ୍ଧି

ନୂଆଦିଲ୍ଲୀ – ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । କୋରୋନା ମହାମାରୀ ସଂକଟ ମଧ୍ୟରେ ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା ସହ ରାଜ୍ୟରେ ନିର୍ବାଚନ ହେବ । ନିର୍ବାଚନ କମିଶନ ପକ୍ଷରୁ ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ରାଜ୍ୟର ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ । ପାର୍ବଣ ଋତୁ ଓ ସୁରକ୍ଷା କାରଣରୁ ପର୍ଯ୍ୟାୟ ସଂଖ୍ୟା ହ୍ରାସ କରାଯାଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ଅକ୍ଟୋବର ୨୮ତାରିଖରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ହେବ ମତଦାନ । ନଭେମ୍ବର ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୯୧ ଓ ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟରେ ୭୮ ଆସନରେ ଭୋଟ୍ ନିଆଯିବ ।

କୋରୋନା କାଳରେ ବିହାର ନିର୍ବାଚନ ବିଶ୍ୱର ସବୁଠାରୁ ବଡ ନିର୍ବାଚନ ହେବ । କୋରୋନା ପାଇଁ ୭୦ଟି ଦେଶ ନିର୍ବାଚନ ଘୁଂଚାଇଦେଇଥିବା ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି । କୋରୋନା ସଂକଟ ଦୃଷ୍ଟିରୁ ଏଥର ପ୍ରତି ବୁଥରେ ମତଦାତାଙ୍କ ସଂଖ୍ୟା ହ୍ରାସ କରାଯାଇ ଏକ ହଜାର ରଖାଯାଇଛି । ରାଜ୍ୟରେ ଏଥର ଏକ ଲକ୍ଷରୁ ଅଧିକ ବୁଥ୍ ପ୍ରତିଷ୍ଠା କରାଯିବ ।

ବିହାରରେ ୭ କୋଟି ୨୬ ଲକ୍ଷ ଭୋଟର ରହିଛନ୍ତି । କୋରୋନା ଦୃଷ୍ଟିରୁ ଖୁବ୍ ସତର୍କତା ଅବଲମ୍ବନ କରାଯିବ । ୬ ଲକ୍ଷ ପିପିଇ କିଟ୍ ରାଜ ନିର୍ବାଚନ କମିଶନଙ୍କୁ ଯୋଗାଇ ଦିଆଯିବ । ଏଥିସହ ୪୬ ଲକ୍ଷରୁ ଅଧିକ ମାସ୍କ, ୭ ଲକ୍ଷ ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାର କରାଯିବ । ଏଥର ନିର୍ବାଚନରେ ଭୋଟିଂ ସମୟ ୧ ଘଂଟା ବୃଦ୍ଧି କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ । ସଂଗରୋଧରେ ଥିବା କୋଭିଡ ରୋଗୀମାନେ ଭୋଟ୍ ଗ୍ରହଣର ଶେଷ ପର୍ଯ୍ୟାୟରେ ଭୋଟ୍ ଦେଇପାରିବେ । ଏହାଛଡା ସେମାନଙ୍କ ପାଇଁ ଡାକ ଯୋଗେ ଭୋଟ୍ ଦେବା ବ୍ୟବସ୍ଥା ମଧ୍ୟ ରହିବ । ଅନ୍ ଲାଇନରେ ପ୍ରାର୍ଥୀ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ନିର୍ବାଚନ ବେଳେ ସୋସିଆଲ ମିିଡିଆରେ ହେଟ୍ ସ୍ପିଚ୍ ଦେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କମିଶନ ।

ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ, କୋରୋନା ସଂକଟ ଯୋଗୁଁ ଏଥର ଡୋର୍ ଟୁ ଡୋର୍ କ୍ୟାଂପେନରେ ୫ ଜଣ ହିଁ ରହିପାରିବେ । ନିର୍ବାଚନ ପ୍ରଚାର ବେଳେ କେବଳ ୨ଟି ଗାଡି ବ୍ୟବହାରକୁ ଅନୁମତି ଦିଆଯାଇଛି । ନିର୍ବାଚନୀ ରାଲିରେ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ନିର୍ବାଚନ କମିଶନ କହିଛନ୍ତି । ରୋଡ୍ ଶୋ ବେଳେ ୫-୫ ଗାଡି ମଧ୍ୟରେ ଅଧଘଂଟାର ଅନ୍ତର ରହିବ ।

Comments are closed.