ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ

ରାୟପୁର: ବ୍ରାହ୍ମଣ ମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ରାୟପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

‘ସର୍ବ ବ୍ରାହ୍ମଣ ସମାଜ’ ନାମକ ଏକ ସଂଗଠନର ଅଭିଯୋଗ ପରେ ରାୟପୁରର ଡିଡି ନଗର ପୋଲିସ ଶନିବାର ବିଳମ୍ବିତ ରାତିରେ ୭୫ ବର୍ଷୀୟ ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସଂଗଠନ ଅଭିଯୋଗ କରିଛି ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବାପା ସେମାନଙ୍କୁ ବିଦେଶୀ ବୋଲି କହି ବ୍ରାହ୍ମଣମାନଙ୍କୁ ବାସନ୍ଦ କରିବାକୁ ଲୋକଙ୍କୁ କହିଥିଲେ। ଏହାଛଡ଼ା ବ୍ରାହ୍ମଣମାନଙ୍କୁ ଗାଁରେ ପ୍ରବେଶ ନ କରାଇବା ପାଇଁ ମଧ୍ୟ ଲୋକଙ୍କୁ ଆହ୍ବାନ କରିଥିଲେ।

ନିଜ ବାପାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ମୋର ଦାୟିତ୍ବ। ସେ କହିଛନ୍ତି, ଯଦି ସେ ସମାଜ ବିରୋଧରେ କିଛି କହିଛନ୍ତି, ତେବେ ମୁଁ ଦୁଃଖିତ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.